Naveen lays stone for 4 projects in ekamra constituency of bhubaneswar 750x430

ଭୁବନେଶ୍ବର: ଆମେ ଓଡ଼ିଆ, ଓଡ଼ିଆ ଆମ ଭାଷା, ଏହା ଆମର ପରିଚୟ। ଜନତା ମୈଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ଗୋଟିଏ ଜାତିର ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି ପାଇଁ, ଆମ ଭାଷା ପାଇଁ ଗୌରବର ଦିନ ଆରମ୍ଭ ହେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
“ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କବି ସାରଳା ଦାସଙ୍କୁ ମୋର ପ୍ରଣାମ ଜଣାଉଛି। ଓଡ଼ିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ ଓ କବିମାନଙ୍କୁ ମୋର ସମ୍ମାନ ଜଣାଉଛି। ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇଛେ। ସାରା ଓଡ଼ିଶା ଆଜି ଭାଷା ପାଇଁ ଏକାଠି ହୋଇଛି। ଦେଶ ବିଦେଶରେ ଥିବା ଓଡ଼ିଆମାନେ ଅନଲାଇନ ଜରିଆରେ ଯୋଗ ଦେଇଛନ୍ତି। ବିଶିଷ୍ଟ ଲେଖକ, ଗବେଷକମାନେ ଆମ ସହିତ ଅଛନ୍ତି।
ଅନ୍ୟପଟେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା, ଏହାର ସମୃଦ୍ଧ ଇତିହାସ ରହିଛି। ନୂଆ ନୂଆ ଶବ୍ଦ ଯୋଡ଼ି ହେଉଛି । ଏ ସବୁ ଉପରେ ଆଲୋଚନା ହେଉ । ଭଲ ସାହିତ୍ୟ ସୃଷ୍ଟି ଉପରେ ଆଲୋଚନା ହେଉ। ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ । ଆମେ ଆମ ଭାଷାର ଇତିହାସ ଜାଣିବା ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା।
ସେ ଆହୁରି କହିଛନ୍ତି, ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷାର ଉନ୍ନତି ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି। ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି କି, ଆସନ୍ତୁ ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଶି କାମ କରିବା। ଏ ସଭାରେ ଯାହା ପ୍ରସ୍ତାବ ଆସିବ, ସରକାର ତାକୁ ଗ୍ରହଣ କରି ସ୍ୱତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ। ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜଳ ହେବ। ଓଡ଼ିଆ ଜାତିର ଭବିଷ୍ୟତ ଉଜ୍ଜଳ ହେବ। ଏହା ମୋର ଦୃଢ ବିଶ୍ୱାସ।

Share