ଦେଶର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ଏହି ଟେଣ୍ଡର ପ୍ରକ୍ରିୟାରେ ଅତ୍ୟନ୍ତ କଠୋର ସର୍ତ୍ତାବଳୀ ରଖାଯାଇଛି। ଯେଉଁ ବିଦେଶୀ କିମ୍ବା ସ୍ୱଦେଶୀ କମ୍ପାନୀ ଏହି ଟେଣ୍ଡରରେ ଭାଗ ନେବେ, ସେମାନଙ୍କର ଚୀନ୍ କିମ୍ବା ପାକିସ୍ତାନ ସହିତ କୌଣସି ପ୍ରତ୍ୟକ୍ଷ ବ୍ୟବସାୟିକ ସମ୍ପର୍କ ନଥିବା ଜରୁରୀ। ଏହା ସହିତ ଏହି ଦେଶଗୁଡ଼ିକରୁ କଞ୍ଚାମାଲ ମଧ୍ୟ ଅଣାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୋଟ୍ ପ୍ରସ୍ତୁତି ପାଇଁ ବ୍ୟବହୃତ ପଲିମରରେ କୌଣସି ପ୍ରକାର ପଶୁ ଚର୍ବି କିମ୍ବା ଡିଏନ୍ଏ ଉପାଦାନ ରହିବ ନାହିଁ ବୋଲି କମ୍ପାନୀଗୁଡ଼ିକୁ ଲାବୋରେଟୋରୀ ପ୍ରମାଣପତ୍ର ଦେବାକୁ ପଡ଼ିବ।
ବର୍ତ୍ତମାନ ପ୍ରଚଳିତ କାଗଜ ନୋଟ୍ଗୁଡ଼ିକ ଶୀଘ୍ର ଚିରିଯିବା, ମଇଳା ହେବା କିମ୍ବା ପାଣିରେ ଭିଜି ନଷ୍ଟ ହେବାର ଆଶଙ୍କା ରହିଥାଏ। ମାତ୍ର ପ୍ଲାଷ୍ଟିକ୍ ନୋଟ୍ ଅଧିକ ସ୍ଥାୟୀ ଓ ସୁରକ୍ଷିତ ହୋଇଥାଏ। ଏହି ନୋଟ୍ଗୁଡ଼ିକରେ କ୍ଲିୟର୍ ୱିଣ୍ଡୋ, ମ୍ୟାଗ୍ନେଟିକ୍ ଥ୍ରେଡ୍ ଏବଂ ଅତ୍ୟାଧୁନିକ ସିକ୍ୟୁରିଟି ଇଙ୍କ୍ ଭଳି ଫିଚର ରହୁଥିବାରୁ ଏହାକୁ ଜାଲ୍ କରିବା ଅସମ୍ଭବ ପ୍ରାୟ। ଯଦିଓ ଏହାର ଛପା ଖର୍ଚ୍ଚ କାଗଜ ନୋଟ୍ ତୁଳନାରେ ସାମାନ୍ୟ ଅଧିକ, ତଥାପି ଏହାର ଦୀର୍ଘାୟୁ କାରଣରୁ ବାରମ୍ବାର ଛାପିବା ଆବଶ୍ୟକ ହେବ ନାହିଁ ଏବଂ ଦୀର୍ଘମିଆଦି ଭିତ୍ତିରେ ଏହା ଅଧିକ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଏହି ପ୍ରକ୍ରିୟା ସଫଳତାର ସହ ଆଗକୁ ବଢ଼େ, ତେବେ ଖୁବଶୀଘ୍ର ଭାରତୀୟମାନଙ୍କ ହାତରେ ଅଷ୍ଟ୍ରେଲିଆ କିମ୍ବା କାନାଡ଼ା ଭଳି ଦେଶଗୁଡ଼ିକ ପରି ଉଚ୍ଚମାନର ପ୍ଲାଷ୍ଟିକ୍ ମୁଦ୍ରା ଦେଖିବାକୁ ମିଳିବ।

