କ୍ରମାଗତ ୨ୟ ଦିନ ପାଇଁ ଇରାକ ଓ ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍

Download

ବାଗଦାଦ୍ : ଇରାନର ରିଭୋଲ୍ୟୁସନରୀ ଗାର୍ଡ (ଆଇଆରଜିସି) ଏବଂ ଏହାର ସମର୍ଥିତ ମିଲିସିଆ ଗୋଷ୍ଠୀଙ୍କ ଆକ୍ରମଣରେ ୩ ଜଣ ସୈନିକଙ୍କ ମୃତ୍ୟୁରେ କ୍ଷୁବ୍ଧ ହୋଇଥିବା ଆମେରିକା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଏବଂ ସିରିଆର ବିଭିନ୍ନ ଟାର୍ଗେଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଏହି ଆକ୍ରମଣରେ ଆମେରିକା ମଧ୍ୟ ଲମ୍ବା ଦୂରତା ବିଶିଷ୍ଟ ବି-୧ ବୋମାବର୍ଷକ ବିମାନ ବ୍ୟବହାର କରିଛି।

ଗତକାଲି ଆମେରିକା ସୈନ୍ୟଙ୍କ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆମେରିକା ଇରାକ ଏବଂ ସିରିଆରେ ଇରାନର ଏଲିଟ୍ ରିଭୋଲ୍ୟୁସନରୀ ଗାର୍ଡ (ଆଇଆରଜିସି) ଏବଂ ଏହାର ସମର୍ଥିତ ମିଲିସିଆ ସହ ଜଡିତ ୮୫ରୁ ଅଧିକ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏବେ ବି ଆକ୍ରମଣ ଜାରି ରହିଛି। ଏଥିରେ ପାଖାପାଖି ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ଆମେରିକାର ଅଧିକ ସାମରିକ ଅଭିଯାନ ହେବାର ସମ୍ଭାବନା ରହିଛି ।

ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଚାଲିଥିବାବେଳେ ଆମେରିକାର ଏହି ଆକ୍ରମଣ ସ୍ଥିତିକୁ ବିସ୍ଫୋରକ କରିଛି । ଇରାନର ରିଭୋଲ୍ୟୁସନାରି ଗାର୍ଡ୍ସ ଉପରେ ସିଧାସଳଖ ଆକ୍ରମଣ କରି ଆମେରିକା ଭୁଲ କରିଛି ବୋଲି ଇରାନ କହିଛି ।ଏହାର ପରିଣାମ ଭୋଗିବାକୁ ଆମେରିକା ପ୍ରସ୍ତୁତ ରହିବା ଉଚିତ ବୋଲି ଇରାନ କହିଛି ।

ଗତ ସପ୍ତାହରେ ଜୋର୍ଡାନରେ ଥିବା ଆମେରିକୀୟ ସେନା ଘାଟି ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା, ଯେଉଁଥିରେ ୩ ଆମେରିକୀୟ ସୈନ୍ୟ ନିହତ ହୋଇଥିଲେ ।

Share