ଭୁବନେଶ୍ବର: ଷୋଡଶ ବିଧାନସଭାର ଶେଷ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଛି। ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟ ଦିବସ ଥିଲା। କିନ୍ତୁ ୫ଟି କାର୍ଯ୍ୟ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଓଡ଼ିଶା ବିଧାନସଭା ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବା ନୂଆ କଥା ନୁହେଁ। ଗତଥର ମଧ୍ୟ ଅଧିବେଶନ ୩୦ ଦିନ ବଦଳରେ ମାତ୍ର ୪ ଦିନ ଚାଲିପାରିଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍ ସମୟରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଥିଲା। ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା। କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ସେହିଭଳି ୨୦୨୪ ନିର୍ବାଚନରେ ଅନେକ ବିଧାୟକ ଟିକେଟରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଭାବବିହ୍ୱଳ ହୋଇଥିଲେ ବିଧାୟକମାନେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମୋ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ। ଆସନ୍ତା ନିର୍ବାଚନରେ ମୁଁ ଲଢିବିନି। ବିଧାନସଭାରୁ ବହୁତ କିଛି ଶିଖିଛି। ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ। ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ, ଫଟୋ ସେସନରେ ସବୁ ବିଧାୟକ ଏକତ୍ରୀତ ହୋଇଥିଲୁ। ସମସ୍ତେ ଉତ୍ସାହିତ ଥିଲେ। ଲୋକଙ୍କ ମତ ଅନୁଯାୟୀ କିଏ ଆସନ୍ତା ଅଧିବେଶନରେ ଗୃହକୁ ଆସିବ ତାହା ତ ସମୟ କହିବ। କିନ୍ତୁ ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ। ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଛି ବୋଲି ସେ କହିଥିଲେ।

