3333

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତା ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇପାରେ । ଜେନେଭାରେ ଏହି ଚୁକ୍ତି ହେବା ନେଇ ଅନୁମାନ କରାଯାଉଛି । ସୂତ୍ର ଅନୁସାରେ, ବୁଝାମଣାର ସର୍ତ୍ତକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ଇରାନ ଜିଦ୍ ଏହି ଚୁକ୍ତି ଅଧୀନରେ ଲେବାନନରେ ଚାଲିଥିବା ଯୁଦ୍ଧ ମଧ୍ୟ ଶେଷ ହେବା ଆବଶ୍ୟକ ।

ଶନିବାର ସୁଦ୍ଧା ଏହି ଚୁକ୍ତିର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ରବିବାର ଆମେରିକାର ଉପ-ରାଷ୍ଟ୍ରପତି ଜେ.ଡି. ଭେନ୍ସ ଏବଂ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକେର କାଲିବାଫ୍ ଏହା ଉପରେ ସ୍ୱାକ୍ଷର କରିପାରନ୍ତି । ଚୁକ୍ତି ପାଇଁ କୌଣସି ସ୍ଥାନ ଆନୁଷ୍ଠାନିକ ଭାବେ ସ୍ଥିର ହୋଇନଥିଲେ ବି ଜେନେଭା ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଇରାନ ଉପରେ ହେବାକୁ ଥିବା ସାମରିକ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି, କାରଣ ଶାନ୍ତି ଚୁକ୍ତି ପ୍ରସ୍ତୁତ ହୋଇସାରିଛି । ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, “ଆମେ ଇରାନ ସହିତ ଯୁଦ୍ଧ ଶେଷ କରିବା ପାଇଁ ଏକ ବଡ଼ ସମାଧାନ ବା ଚୁକ୍ତି କରିଛୁ ।”

ତେବେ ଇରାନର ଅଧିକାରୀମାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତିନାମାର ସର୍ତ୍ତଗୁଡ଼ିକରେ ତେହେରାନର ପ୍ରାୟ ସମସ୍ତ ଦାବିକୁ ଗ୍ରହଣ କରାଯାଇଛି । ଅନ୍ୟପଟେ ଟ୍ରମ୍ପ ଯେଉଁ ସର୍ତ୍ତ ରଖିଥିଲେ, ସେଥିମଧ୍ୟରୁ କେବଳ “ହର୍ମୁଜ ପ୍ରଣାଳୀ”କୁ ପୁଣିଥରେ ଖୋଲିବା ପ୍ରସଙ୍ଗ ହିଁ ଚୁକ୍ତିରେ ସାମିଲ ହୋଇଛି । ଫେବ୍ରୁଆରୀ ମାସରେ ଆମେରିକାର ଆକ୍ରମଣ ପରେ ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ବନ୍ଦ କରିଦେଇଥିଲା ।

ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ ଇରାନର ତେଲ ରପ୍ତାନି ଉପରୁ କଟକଣା ହଟାଯିବ । ବିଦେଶୀ ବ୍ୟାଙ୍କରେ ଫ୍ରିଜ ଥିବା ପାଣ୍ଠିକୁ ମୁକ୍ତ କରାଯିବ ଏବଂ ଲେବାନନ ସହିତ ସମସ୍ତ ପ୍ରକାର ଯୁଦ୍ଧ ବନ୍ଦ କରାଯିବ । ପରମାଣୁ ପ୍ରସଙ୍ଗକୁ ବର୍ତ୍ତମାନ ପାଇଁ ଏହି ଚୁକ୍ତିରୁ ଅଲଗା ରଖାଯାଇଛି ଏବଂ ପରବର୍ତ୍ତୀ ସମୟରେ ଆଲୋଚନା ହେବ । ୱାଶିଂଟନ ଚାହୁଁଛି ଯେ ଇରାନ କେବେବି ପରମାଣୁ ଅସ୍ତ୍ର ପ୍ରସ୍ତୁତ ନକରୁ, କିନ୍ତୁ ଇରାନ କହିଛି ଯେ ତାହାର ଏପରି କୌଣସି ଉଦ୍ଦେଶ୍ୟ ନାହିଁ ।

ଇରାନର ସରକାରୀ ସମ୍ବାଦ ସଂସ୍ଥା ‘ମେହେର’ର ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିରେ ଆମେରିକା-ଇରାନର ଚାରିପାଖରୁ ନିଜ ସେନା ହଟାଇବାକୁ ସହମତ ହୋଇଛି । ଏଥିସହିତ, ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଇରାନର ଅର୍ଥନୀତି ପାଇଁ ଆମେରିକା ଏବଂ ତା’ର ସହଯୋଗୀ ଦେଶଗୁଡ଼ିକୁ ପ୍ରାୟ ୩୦୦ ବିଲିୟନ ଡଲାରର ଯୋଜନା ଉପସ୍ଥାପନ କରିବାକୁ ପଡ଼ିବ ।

Share