Air india 1706085154

ମୁମ୍ବାଇ: ନିକଟ ଅତୀତରେ ମୁମ୍ବାଇ ବିମାନବନ୍ଦରରେ ହ୍ବିଲ୍‌‌ଚେୟାର୍‌କୁ ନେବା ପାଇଁ ସହାୟକ ଉପଲବ୍ଧ ନଥିବା କାରଣରୁ ଜଣେ ବୃଦ୍ଧଙ୍କର ପାଦରେ ଚାଲି ଚାଲି ଯାଇ ମୃତ୍ୟୁ ଘଟିଥିବା କଥା ଆମେ ଜାଣିଥିଲେ। ଏବେ ‌ସେହି ମାମଲାରେ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଛି।
ଅଭିଯୋଗ ହୋଇଥିଲା ‌ଯେ ମୁମ୍ବାଇ ବିମାନବନ୍ଦରରେ ହ୍ବିଲ୍‌‌ଚେୟାର୍‌ ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କୁ ବିମାନମନ୍ଦରରୁ ଇମିଗ୍ରେସନ କାଉଣ୍ଟର୍‌ ପର୍ଯ୍ୟନ୍ତ ୧.୫ କିଲୋମିଟର ବାଟ ପାଦରେ ଚାଲିବାକୁ ପଡ଼ିଥିଲା। ଯାହାଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।
ଏୟାର ଇଣ୍ଡିଆ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଥିଲା ଯେ ବୃଦ୍ଧ ଯାତ୍ରୀଙ୍କୁ ସେମାନେ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ବୃଦ୍ଧ ଜଣକ ସେମାନଙ୍କ କଥା ନଶୁଣି ତାଙ୍କ ପତ୍ନୀଙ୍କ ସହ ଚାଲିଯାଇଥିଲେ। ଚାଲି ଚାଲି ବୃଦ୍ଧଙ୍କ ଅବସ୍ଥା ଗୁରୁତର ହେବା ପରେ ସେ ପଡ଼ିଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
ବୃଦ୍ଧ ଜଣକ ତଳେ ପଡ଼ି ହୃଦଘାତର ଶିକାର ହୋଇଥିଲେ। ୮୦ ବର୍ଷ ବୟସ୍କ ବ୍ୟକ୍ତି ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ। ଯେତେବେଳେ ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା, ସେତେବେଳେ ଏହି ଦମ୍ପତି କେବଳ ହ୍ୱିଲଚେୟାର ପାଇଥିଲେ। ହେଲେ ଜଣେ ମାତ୍ର ସହାୟକ ମିଳିଥିଲା ସେମାନଙ୍କୁ। ଏପରି ପରିସ୍ଥିତିରେ ସ୍ୱାମୀ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଗୋଟାଏ ହ୍ବିଲ୍‌ ଚେୟ‌ାର୍‌ ଉପରେ ବସାଇଥିଲେ ଏବଂ ସେ ନିଜେ ତାଙ୍କ ପଛେ ପଛେ ଯାଇଥିଲେ।

ବୃଦ୍ଧଙ୍କୁ ବିମାନରୁ ୧.୫ କିଲୋମିଟର ଦୂରରେ ଟର୍ମିନାଲରେ ଅବସ୍ଥିତ ଇମିଗ୍ରେସନ କାଉଣ୍ଟରକୁ ପାଦରେ ଚାଲିବାକୁ ପଡ଼ିଥିଲା। କାଉଣ୍ଟରରେ ପହଞ୍ଚିବା ପରେ ବୃଦ୍ଧ ଜଣକ ମୁଣ୍ଡ ବୁଲାଇ ହୃଦଘାତର ଶିକାର ହୋଇଥିଲେ। ଏହି ଘଟଣା ପରେ ବୃଦ୍ଧଙ୍କୁ ନାନାବତୀ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଏହାପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।

Share