Cm naveen patnaik

ଭୁବନେଶ୍ବର: ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଅଛି ଯେ ଯେଉଁଠାରେ ମା’ ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି।
ଓଡିଶାରେ ମହିଳାମାନଙ୍କର ପ୍ରଗତି ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ମହିଳାମାନେ ଏବେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ କହିଲେ ଯେ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୦ଟିରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତ ଓ ପୌର ସଂସ୍ଥା ଗୁଡିକରେ ୫୦ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ମିସନ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହା ଦ୍ୱାରା ମା’ମାନେ ଛୋଟ ଛୋଟ ବ୍ୟବସାୟ କରି ଅର୍ଥ ରୋଜଗାର କରି ନିଜ ପରିବାର ପାଇଁ ଅବଦାନ ରଖୁଛନ୍ତି। ଏହା ଏକ ବହୁତ ବଡ ପରିବର୍ତ୍ତନ। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସେମାନଙ୍କୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି।
ରାଜ୍ୟସରକାର ମଧ୍ୟ ମିସନ ଶକ୍ତି ଜରିଆରେ ମହିଳାମାନଙ୍କୁ କୋଟି କୋଟି ଟଙ୍କାର ସରକାରୀ କାମ ଦେଉଛନ୍ତି। ସେମାନେ ମଧ୍ୟ ଏହି ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଉଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ପ୍ରକାଶ କରିଥିଲେ। ବର୍ତ୍ତମାନ ମହିଳାମାନେ ଆଉ ଏକ ପାଦ ଆଗକୁ ଯାଇ ଉଦ୍ୟୋଗୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟସରକାର ଏଥିପାଇଁ ୧୦ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି। ମା’ ମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣମାନେ ଆଗକୁ ବଢନ୍ତୁ , ମୁଁ ଆପଣମାନଙ୍କ ସହିତ ଅଛି’।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆଇସିଡିଏସ୍‌ ନିର୍ଦ୍ଦେଶିକା ମନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Share