ନୂଆଦିଲ୍ଲୀ: ଥାଇଲାଣ୍ଡ ବ୍ୟାଙ୍କକରେ ଥିବା ଚାଟୁଚାକ ଜିଲ୍ଲାର ପ୍ରସିଦ୍ଧ ପବ୍ ‘ରଙ୍ଗ ବିୟର ନା ଲାଟ୍ ପ୍ରାଓ’ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପବ୍ ର ମୁଖ୍ୟ ପ୍ରବେଶ ଦ୍ଵାରରୁ ପ୍ରବଳ ନିଆଁ ବାହାରୁଛି। ଜୀବନ ବିକଳରେ ଲୋକେ ବାହାରକୁ ଦୌଡ଼ୁଛନ୍ତି ଏବଂ ଚାରିଆଡ଼େ କଳା ଧୂଆଁ ଖେଳିଯାଇଛି । କିଛି ଲୋକଙ୍କ ପୋଷାକରେ ନିଆଁ ମଧ୍ୟ ଲାଗିଯାଇଛି । ଅଗ୍ନିଶମ ବାହିନୀର ବଡି-କ୍ୟାମେରା ଫୁଟେଜ୍ ଅନୁସାରେ, ପବ୍ ଭିତର ସମ୍ପୂର୍ଣ୍ଣ ଭାବେ ପୋଡ଼ି କଳା ପଡ଼ିଯାଇଛି ।
ଚେୟାର, ଟେବୁଲ ଏବଂ ବୋତଲଗୁଡ଼ିକ ଉପରେ ପାଉଁଶର ମୋଟା ଆସ୍ତରଣ ଜମି ରହିଛି । ପ୍ରବଳ ଉତ୍ତାପ ଯୋଗୁଁ ଛାତର କିଛି ଅଂଶ ଖସିପଡ଼ିଛି । ପବ୍ ବାହାରେ ସୁରକ୍ଷା କର୍ଡନ କରାଯାଇ ମୃତଦେହଗୁଡ଼ିକୁ ଧାଡ଼ି କରି ରଖାଯାଇଛି । ପ୍ରତ୍ୟକ୍ଷଦର୍ଶୀ ଏବଂ ସେଠାରୁ ବଞ୍ଚିଯାଇଥିବା ଲୋକଙ୍କ କହିବା ଅନୁସାରେ ପବ୍ ରେ ପ୍ରଦର୍ଶନ ଚାଲିଥିବା ସମୟରେ ହଠାତ ଲାଇଟ୍ ଚାଲିଯାଇଥିଲା ଏବଂ ଷ୍ଟେଜ୍ ପାଖରେ ଥିବା ଏକ ସର୍କିଟ୍ ବ୍ରେକରରୁ ଧୂଆଁ ବାହାରିଥିଲା । ଏହା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା, ଯାହାଫଳରେ ଚାରିଆଡ଼େ ଅନ୍ଧାର ଏବଂ ଧୂଆଁ ହୋଇଯାଇଥିଲା । ପବ୍ ଭିତରେ ଥିବା ସାଜସଜ୍ଜା ସାମଗ୍ରୀ ଯୋଗୁଁ ନିଆଁ ଖୁବ୍ ଶୀଘ୍ର ବ୍ୟାପିଥିଲା ।

