Bjp 1710504984

ଭୁବନେଶ୍ବର : ବିଜେଡି ଓ ବିଜେପି ମଧ୍ୟରେ ମେଂଟ ଚର୍ଚ୍ଚା ଯୋଗୁ ବନ୍ଦ ରହିଥିବା ମିଶ୍ରଣ ପର୍ବ ପୁଣିଥରେ ଆରମ୍ଭ ହୋଇଛି। ଗତକାଲି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ପରେ ଆଜି ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସେ ନିଜର ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ଗମାଙ୍ଗଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଶ୍ରୀ ସାମଲ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ଶ୍ରୀ ଗମାଙ୍ଗ କହିଥିଲେ। ଶ୍ରୀ ଗମାଙ୍ଗଙ୍କ ସହ ଯାଜପୁରର କିଛି କର୍ମୀ ଆଜି ଅନ୍ୟ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ଶ୍ରୀ ଗମାଙ୍ଗ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଗୁଣୁପୁର ଆସନରୁ ବିଜେଡି ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ମାତ୍ର ସେ ଟିକେଟରୁ ବଂଚିତ ହେବାପରେ ୨୦୧୯ ମାର୍ଚ୍ଚ ମାସରେ ବିଜେଡିରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ଶ୍ରୀ ଗମାଙ୍ଗଙ୍କ ବିଜେପିରେ ସାମିଲ ହେବା ପଛରେ ଶ୍ରୀପାଣିଗ୍ରାହୀଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି।

Share