Rain
Torrential rain in the rainy season a tropical rainforest. La Gran Sabana, Venezuela

ଭୁବନେଶ୍ବର: ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଉଛି। ଗତକାଲି ଠାରୁ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି। ବିଳମ୍ବିତ ରାତିରେ ଭଦ୍ରକ, କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଲାଗିରହିଛି । ଯାଜପୁରରେ ୫୨.୨ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳରେ ୨୧ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ରାଜ୍ୟର ମଧ୍ୟ ଭାଗରେ ଥିବା ଜିଲ୍ଲାଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନୁମାନ କରାଯାଉଛି, ଘଣ୍ଟା ପ୍ରତି ପବନର ବେଗ ୪୦ ରୁ ୫୦ କିମି ରହିବ। ସର୍ବାଧିକ ୫୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି।

ଆସନ୍ତାକାଲି (ବୁଧବାର) ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ଜିଲ୍ଳା ସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଡିଗ୍ରୀ ତାପମାତ୍ରା ଖସିବା ନେଇ ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି। ୨୨ ତାରିଖ ଠାରୁ ତାପମାତ୍ରା ଧୀରେଧୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ଭଳି ପ୍ରଭାବ ୩ ଦିନ ରହିବ ତା ପରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି। ତା’ପରେ ୨୨ରୁ ୨୮ ତାରିଖ ପରେ କିଛି ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସ୍ବାଭାବିକ ଭାବରେ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆଭ୍ୟନ୍ତରୀଣ ଜିଲ୍ଲା ଭିତରେ ବୌଦ୍ଧ, ନୟାଗଡ଼, କନ୍ଧମାଳ କଳାହାଣ୍ଡି ପରି ଜିଲାଗୁଡିକରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଭାରି ବର୍ଷା ପାଇଁ ମୁଖ୍ୟତଃ ଢେଙ୍କାନାଳ, ଗଞ୍ଜାମ, କଟକ , ନୟାଗଡ଼ ଏ ସବୁ ଜିଲ୍ଲା ପ୍ରଭାବିତ ହେବ। ଯେହେତୁ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ତେଣୁ ରବି ଫସଲ ଓ ପରିବା କ୍ଷତି ହେବାର ଆଶଙ୍କା କରାଯାଇଛି। ଚାଷୀ ଭାଇମାନେ ଫସଲ ଓ ପରିବାର ସୁରକ୍ଷା ପାଇଁ ଜାଲି ବ୍ୟବହାର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Share