Rain
Torrential rain in the rainy season a tropical rainforest. La Gran Sabana, Venezuela

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟ ତମାମ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି ।

ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ବୌଦ୍ଧ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ ଓ କନ୍ଧମାଳ, ଯାଜପୁର, ବରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଗାମୀ ୩ ଘଣ୍ଟା ବିଜୁଳି ଓ ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ଏନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ, ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ସହ ଜଡିତ ପଶ୍ଚିମା-ଶୁଷ୍କବାୟୁ ସହ ବଙ୍ଗୋପସାଗର ଅଞ୍ଚଳରୁ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ପରିସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା, କୁଆପଥର, ଝଡପବନ ତଥା ଭାରିବର୍ଷା ଲାଗିରହିଛି l

ଗତକାଲି କାଳବୈଶାଖୀ ପ୍ରଭାବରେ ରାଜଧାନୀ ସମେତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । କାଳବୈଶାଖୀ ତାଣ୍ଡବରେ ଝଡ଼ ତୋଫାନ ସହ କୁଆ ପଥର ମାଡ଼ ହୋଇଛି । କେଉଁଠି ଝିପିଝିପ ତ ଆଉ କେଉଁଠି ମଧ୍ୟମ ଧରଣର ବର୍ଷା କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି । ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇଛି ।

Share