Accident 1720840289

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ ବୁଢ଼ିଖମାର ଛକ ନିକଟରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଧକ୍କା ହେବାରୁ ବସ୍ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷଥିବା ବେଳେ ଜଣେ ମହିଳା ଥିବା ଜଣାଯାଇଛି। ଆହତମାନଙ୍କ ମଧ୍ୟରେ ପୁରୁଷ,ମହିଳା ଓ ଛୋଟପିଲା ଥିବା ଜଣାଯାଇଛି।
ହାଇଦ୍ରାବାଦରୁ ତୀର୍ଥ ଯାତ୍ରୀଙ୍କୁ ନେଇ ବସ୍‌ଟି ଗୟା ଯାଉଥିଲା। ବୁଢ଼ିଖମାର ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। ଆଜି ଭୋରରୁ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ବସ୍‌ରେ ୨୩ ଜଣ ତୀର୍ଥଯାତ୍ରୀ ଥିବା ଜଣାଯାଇଛି। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ବସ୍‌ ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

Share