Pm Narendra Modi Chairs His First Union Cabinet Meeting
New Delhi, Jun 10 (ANI): Prime Minister Narendra Modi chairs his first Union Cabinet meeting at the start of his third term, in New Delhi on Monday. (ANI Photo)

ନୂଆଦିଲ୍ଲୀ : ବେଶ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି। ଉପତ୍ୟକାରେ ଆତଙ୍କୀ ହମଲା ବଢ଼ୁଥିବାରୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ତାଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବସିଥିଲା। ଏହି କ୍ୟାବିନେଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକରେ ଉପସ୍ଥିତ ରହିଥିଲେ।
କୁହାଯାଉଛି ଯେ ଉପତ୍ୟକାରେ ବଢ଼ୁଥିବା ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଆରମ୍ଭ ହୋଇଥିବା ଅପରେସନକୁ ଆହୁରି ଜୋରଦାର କରାଯିବ। ସେନାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ମୋଦି ଖୋଲା ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଆତଙ୍କବାଦୀଙ୍କ ମୁକାବିଲା ପାଇଁ ନୂଆ ରଣନୀତି ଆପଣାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୋଦି ଆତଙ୍କବାଦ ନିରୋଧ ଅପରେସନରେ ଅଧିକ ସଂଖ୍ୟକ ସେନା ବାହନୀକୁ ନିୟୋଜତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ବୈଠକର କିଛି ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀରର ଡୋଡାରେ ଚାଲିଥିବା ଏନକାଉଣ୍ଟରେ ୨ ଜଣ ଯବାନ ଆହତ ହୋଇଥିଲେ। ଏଠାରେ ସୋମବାର ଠାରୁ ଏନକାଉଣ୍ଟର ଚାଲିଥିବା ବେଳେ ଏଥିରେ ମଙ୍ଗଳବାର ଭୋର ସମୟରେ ଜଣେ କ୍ୟାପ୍ଟେନଙ୍କ ସହ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ସେଠାରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।
ଗତ ମାସରେ ମଧ୍ୟ ମୋଦି ଜମ୍ମୁ-କଶ୍ମୀର ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୟରେ ସେ ଶାହ, ଡୋଭାଲ ଓ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇଥିଲେ। ମୋଦିଙ୍କୁ ଜମ୍ମୁ-କଶ୍ମୀରର ସ୍ଥିତି ସହ ଆତଙ୍କବାଦ ନିରୋଧ ଅପରେସନ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଗତ ୩୨ ମାସ ମଧ୍ୟରେ ଅନେକ ଅଫିସରଙ୍କ ସମେତ ୪୮ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇ ସାରିଲେଣି। ଏହି ଘଟଣା ପରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହ ମିଶି ସେନା ପକ୍ଷରୁ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି।
ଏହି ସମୟରେ ଆତଙ୍କବାଦୀଙ୍କୁ ବିଭିନ୍ନ ସମୟରେ ତଥ୍ୟ ଓ ସହାୟତା କରୁଥିବା ଅନେକ ଲୋକଙ୍କୁ ଗିରଫ କରାଯାଇଛି। ସେନା ପକ୍ଷରୁ ଗୁଇନ୍ଦା ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ସର୍ଚ୍ଚଅପରେସନକୁ ଜୋରଦାର କରାଯାଇଛି।

Share