Congress 1722081982

ଜୟପୁର : ବିଧାନସଭା ଭଳି ପବିତ୍ର ଗୃହରେ ଅସଭ୍ୟ ଭାଷା ପ୍ରୟୋଗ କରି ଅଡ଼ୁଆରେ ପଡ଼ିଛନ୍ତି ରାଜସ୍ଥାନ କଂଗ୍ରେସର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶାନ୍ତି ଧରିୱାଲ। ଗୃହ କାର୍ଯ୍ୟ ବେଳେ ସେ ପ୍ରିଜାଇଡିଂ ଅଫିସରଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ। ଏହି ଘଟଣାକୁ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନି କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ଗଣମାଧ୍ୟମକୁ ବାଚସ୍ପତି ଦେବଦାନି କହିଛନ୍ତି, ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଗୃହରେ ପ୍ରିଜାଇଡିଂ ଅଫିସରଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିବା ଚିନ୍ତାର ବିଷୟ। ଏହା ଗୃହର ପରମ୍ପରା ନୁହେଁ। ମୁଁ ପୂରା ଭିଡିଓ ଦେଖିବା ପରେ ସଂସଦୀୟ ମନ୍ତ୍ରୀ ଓ ଅନ୍ୟମାନଙ୍କ ସହ କଥା ହୋଇ ନିଷ୍ପତ୍ତି ସୋମବାର ଦିନ ନେବି ବୋଲି ସେ କହିଛନ୍ତି।
ଜୁଲାଇ ୨୬ରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଧରିୱାଲ ବିବାଦୀୟ ଟିପ୍ପଣୀ କରିଥିଲେ। ଏହାକୁ ବିଜେପି ସଦସ୍ୟମାନେ ତୀବ୍ର ସମାଲୋଚନା କରିବା ସହ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଜେପି ବିଧାୟକମାନେ କହିଛନ୍ତି ଯେ ରାଜସ୍ଥାନ ବିଧାନସଭାର ଗାରିବା ଏଭଳି ଅସାମ୍ବିଧାନିକ ଶବ୍ଦ ଯୋଗୁ ହ୍ରାସ ପାଉଛି। ତେଣୁ କଂଗ୍ରେସ ବିଧାୟକ ଧରିୱାଲଙ୍କ ବିରୋଧରେ ସେମାନେ କଡ଼ା କାର୍ଯ୍ୟାନୁଷ୍ଠାନାର ଦାବି କରିଛନ୍ତି।

Share