Hand Dead Victim Woman Covered 600nw 2193737127

ବ୍ରହ୍ମପୁର : ସହିପାରିଲେନି ମାନସିକ ନିର୍ଯାତନା। କୀଟନାଶକ ପିଇ ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ଼ ଗ୍ରାମରେ। ମୃତ ଛାତ୍ର ଜଣଙ୍କ ହେଲେ ନାରାୟଣ ପରିଡ଼ାଙ୍କ ବଡ଼ ପୁଅ ଚନ୍ଦନ ପରିଡ଼ା।
ଚନ୍ଦନ କ୍ଷତ୍ରିୟବରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତମାସ ୧୭ ତାରିଖ ଦିନ ନିଜ ସାଙ୍ଗ ମାନଙ୍କ ସହିତ ଗାଆଁ ଦାଣ୍ଡରେ କ୍ରିକେଟ୍ ଖେଳୁଥିଲେ। ଏହି ସମୟରେ ବଲଟି ଗ୍ରାମର ଜଣେ ମହିଳାଙ୍କ ଦେହରେ ବାଜିଥିଲା। ଏହି ଘଟଣାକୁ ନେଇ ଉକ୍ତ ମହିଳା ଜଣଙ୍କ ଗାଙ୍ଗପୁର ଥାନାରେ ଚନ୍ଦନ ଏବଂ ନାରାୟଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଏତଲାକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ଏକ କେଶ୍ ରୁଜୁ ହୋଇଥିଲା। ପୁଲିସ ଚନ୍ଦନ ଓ ତାଙ୍କ ବାପାଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା।
ପରେ ସମ୍ପୃକ୍ତ ମହିଳା ଏବଂ ଗ୍ରାମର ଅନ୍ୟ ଦୁଇଜଣ ବ୍ୟକ୍ତି ଭବିଷ୍ୟତ ନଷ୍ଟ ହୋଇଗଲା, ଭବିଷ୍ୟତରେ କେବେ ଚାକିରି କରିପାରିବୁ ନାହିଁ ବୋଲି ଚନ୍ଦନକୁ ବାରମ୍ବାର କହୁଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ଚନ୍ଦନ ମାନସିକ ଚାପରେ ଥିଲେ। ଚନ୍ଦନ ଗତକାଲି କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଚନ୍ଦନକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନର ମୃତ୍ୟୁ ଘଟିଛି।
ସମ୍ପୃକ୍ତ ମହିଳା ଏବଂ ଗ୍ରାମର ଅନ୍ୟ ଦୁଇଜଣ ବାରମ୍ବାର ଏପରି କଥା କହିବା ଯୋଗୁ ଚନ୍ଦନ ମାନସିକ ଚାପରେ ଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାଙ୍କ ବପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Share