Image 1722343707

ୱାୟନାଡ : କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ ପରେ ଗୋଟିଏ ତିନୋଟି ଭୂସ୍ଖଳନ ହେବା ପରେ ରାସ୍ତା-ଘାଟ, ଘର-ଦ୍ୱାର ଧୋଇ ହୋଇଯାଇଛି। ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି।
ସୂଚନା ଅନୁସାରେ, ଗତକାଲି ରାତିରୁ ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି।
ଏହି ତିନି ଗାଁର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ସହ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାରଇପାରେ ବୋଲି ଆଶଙ୍କା କରାଯାଉଛି।

Share