Image 1723467615

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମୀଦ ଗିରଫ। ଆଜି ତାଙ୍କୁ ପାକିସ୍ତାନ ସେନା ଗିରଫ କରିଛି। ଗିରଫ ପରେ ତାଙ୍କ ବିରୋଧରେ କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ଆଇଏସପିଆର କହିଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ ସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ କରାଯାଇଥିଲା। ଏହାପରେ ଲେପ୍ଟନାଣ୍ଟ ଜେନେରା(ଅବସରପ୍ରାପ୍ତ) ଫୈଜ ଅହମଦଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଛି।

ତାଙ୍କ ବିରୋଧରେ ପାକିସ୍ତାନ ସେନା ଆଇନ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବତନ ଜେନେରାଲ ଅବସର ପରେ ଏକାଧିକ ଥର ପାକିସ୍ତାନ ଆର୍ମି ଆକ୍ଟର ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ତଦନ୍ତ କରାଯାଇଥିଲା।

ତଦନ୍ତ ପରେ ସବୁ କିଛିର ପ୍ରମାଣ ମିଳିଛି। ସେ ପେଶାୱର କ୍ରପ୍ସ କମାଣ୍ଡର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବିରୋଧରେ ଫିଲ୍ଡ ଜେନେଲ କୋର୍ଟ ଅଫ ମାର୍ଶଲ ପ୍ରକ୍ରିୟା ଆରମ୍ଭ କରାଯାଇଛି ଓ ତାଙ୍କୁ ସେନା ବାହିନୀ ନିଜ ହେପାଜତକୁ ନେଇଥିବା ଆଇଏସପିଆର କହିଛି।

ଟପ ସିଟି ପକ୍ଷରୁ ମଧ୍ୟ ଫୈଜଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଥିଲା। ଟପ ସିଟି ହେଉଛି ପାକିସ୍ତାନର ଗୋଟିଏ ଘରୋଇ ହାଉସିଂ ସ୍କିମ। ସଂସ୍ଥା ଅଭିଯୋଗ କରିଥିଲା ଯେ ଫୈଜ ପୂର୍ବାଗ୍ରହ ରଖି ଏହାର ଅଫିସ ଓ ମାଲିକ ମୋଇଜ ଖାନଙ୍କ ବାସଭବନରେ ରେଡ କରିଥିଲେ। ନିଜ କ୍ଷମତାର ଅପବ୍ୟବହାର ମଧ୍ୟ କରିଥିଲେ।

ଅଭିଯୋଗ ପରେ ପାକିସ୍ତାନ ସେନା ପକ୍ଷରୁ ଏପ୍ରିଲ ମାସରେ ଗୋଟିଏ ତଦନ୍ତ କମିଟି ଗଠନ କରାଯାଇଥିଲା। ଫୈଜ କ୍ଷମତାର ଅପବ୍ୟବହାର କରିଛନ୍ତି କି ତା’ର ଯାଞ୍ଚ କମିଟି କରିଥିଲା। ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ କମିଟି ଗଠନ ହୋଇଥିଲା।

ଫୈଜଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ। ତେଣୁ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। କାରଣ ଏହା ଦେଶର ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସୁପ୍ରିମକୋର୍ଟ କହିଥିଲେ। ଏଥିସହ ସେନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Share