Image 1735046334

ପାରାଦୀପ : ପାରାଦୀପ ବନ୍ଦର PICT ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।
ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। ଦୁଇ ପାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅବଜର୍ଭେସନରେ ରଖାଯାଇଛି ବୋଲି କୁଜଙ୍ଗ ରେଞ୍ଜ ଅଧିକାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ। ତେବେ ପାରା ଉଦ୍ଧାର ହୋଇଥିବା ଜାହାଜଟି ଚିତାଗଙ୍ଗରୁ ଆସିଛି। ଏହି ଜାହାଜ ଷ୍ଟିଲ ସ୍ଲାବ ନେଇ ବ୍ରିଷ୍ଟଲ ବନ୍ଦରକୁ ଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ବର୍ଷକ ତଳେ ଏହି PICT ବର୍ଥରେ ଲାଗିଥିବା ‘ଏମଭି ଦେବୀ’ ଜାହାଜରୁ ଜବତ ହୋଇଥିଲା ୨୨୦ କୋଟି ଟଙ୍କାର କୋକେନ୍। ଜାହାଜଟି ୨୦୨୩ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ନଭେମ୍ବର ୨୮ରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ସୀମା ଶୁଳ୍କ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସହାୟକାରେ ଜାହାଜରେ ଯାଞ୍ଚ କରିଥିଲେ। ଜାହାଜରୁ ୨୨ ପ୍ୟାକେଟ କୋକେନ୍ ଜବତ କରାଯାଇଥିଲା। ଜବତ କୋକେନର ଆନ୍ତର୍ଜାତିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବାବେଳେ ଏଥିରେ ଥିବା କ୍ରିଉ ସଦସ୍ୟମାନେ ମଧ୍ୟ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଘଟଣାକୁ ବର୍ଷେରୁ ଅଧିକ ସମୟ ପୂରିଥିଲେ ହେଁ ତଦନ୍ତ ଏବେ ସୁଦ୍ଧା ଚାଲିଛି।

Share