ଲଣ୍ଡନଠାରେ ଏକ ଯୁଗ୍ମ ବାର୍ତ୍ତାରେ ଏହି ପାଞ୍ଚ ଦେଶର ସରକାର ରୁଷ୍ ନିକଟରେ ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିବାର ସମସ୍ତ କାରଣ ଓ ସୁଯୋଗ ରହିଥିଲା ବୋଲି କହିଛନ୍ତି। ସେମାନେ ରାସାୟନିକ ଅସ୍ତ୍ର ଚୁକ୍ତିନାମା ଉଲ୍ଲଂଘନ କରିବା ପାଇଁ ରୁଷ ବିରୋଧରେ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନକୁ ରିପୋର୍ଟ କରିବେ ବୋଲି କହିଛନ୍ତି। ବ୍ରିଟେନର ବିଦେଶ ମନ୍ତ୍ରୀ ୟେଭେଟ୍ କୁପର କହିଛନ୍ତି, ରୁଷ୍ ନାଭାଲନିଙ୍କୁ ବିପଦ ଭାବେ ଗ୍ରହଣ କରୁଥିଲା। ନାଭାଲନି ସରକାରଙ୍କ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିଥିଲେ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋର ଶତ୍ରୁ ଭାବରେ କ୍ରେମଲିନ ବିରୋଧୀ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଫେବ୍ରୁଆରି ୨୦୨୪ରେ ଆର୍କଟିକ ପେନାଲ କଲୋନୀ ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୧୯ ବର୍ଷର ଜେଲଦଣ୍ଡାଦେଶ ଦିଆଯାଇଥିଲା, ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ନାଭାଲନିଙ୍କ ପତ୍ନୀ ୟୁଲିଆ ନାଭାଲନି ଗତବର୍ଷ କହିଥିଲେ ଯେ, ଦୁଇଟି ନିରପେକ୍ଷ ଲାବୋରେଟୋରୀ ପରୀକ୍ଷାରେ ତାଙ୍କ ସ୍ବାମୀଙ୍କୁ ମୃତ୍ୟୁ ପୂର୍ବରୁ ବିଷ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ସେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରିଥିବାବେଳେ ରୁଷ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ୨୦୨୦ରେ ନାଭାଲନିଙ୍କୁ ବିଷ ଦିଆଯାଇଥିଲା। କ୍ରେମଲିନ୍ ପକ୍ଷରୁ ବିଷ ଦିଆଯିବାକୁ ଖଣ୍ଡନ କରାଯାଇଥିଲା। ନାଭାଲନିଙ୍କୁ ପରିବାର ଓ ସହଯୋଗୀ ଜର୍ମାନୀ ଚିକିତ୍ସା ପାଇଁ ନେଇଥିଲେ। ପାଞ୍ଚ ମାସ ପରେ ସେ ରୁଷ୍ ଫେରିଥିଲେ। କିନ୍ତୁ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା ଓ ତାଙ୍କ ଜୀବନର ଶେଷ ୩ ବର୍ଷ ସେ ଜେଲରେ କାଟିଥିଲେ। ରୁଷ୍ କର୍ତ୍ତୃପକ୍ଷ ନାଭାଲନିଙ୍କର ସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା।