ଭୁବନେଶ୍ୱର : ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କା ଚଳୁ । EOW ଜାଲରେ ଆଉ ୨ ଠକ । ରାୟପୁରରୁ ମାଡିବସିଲା ଟିମ୍ । ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ଗାଏବ ମାମଲାରେ EOW କୁ ବଡ଼ ସଫଳତା । ଆଉ ଦୁଇ ଜଣ ଠକଙ୍କୁ ଛତିଶଗଡ଼ର ରାୟପୁରରୁ ଗିରଫ କରିଛି EOW । ଗିରଫ ଅଭିଯୁକ୍ତ ହେଲେ ସୁରଜିତ ରାୟ ଓ ସମୀର ଶ୍ରୀବାସ୍ତବ । ଉଭୟେ Roy Associates ଓ SS Traders ନାମରେ ସଂସ୍ଥା ଚଳାଉଥିଲେ । ଠକେଇ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ତଦନ୍ତରେ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, District Mineral Foundation Trustର ଆକାଉଣ୍ଟରୁ ନକଲି ଚେକ୍ ବ୍ୟବହାର କରି ଟଙ୍କା ଉଠାଯାଇଥିଲା । ବ୍ୟାଙ୍କ ଅଫ ଇଣ୍ଡିଆ ବାରିପଦା ଶାଖାରୁ ଟଙ୍କା ଉଠାଇ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ପରେ ସେହି ଟଙ୍କାକୁ ଅନେକ ଲେୟରରେ ଘୁରାଇ ଚଳୁ କରାଯାଇଥିଲା । EOW ତଦନ୍ତରେ ଜଣାପଡିଛି, ଏହା ଗୋଟିଏ ବଡ଼ ଇଣ୍ଟରଷ୍ଟେଟ୍ ଗ୍ୟାଙ୍ଗ ।
ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଏହି ଗ୍ୟାଙ୍ଗର ନେଟୱର୍କ ଥିଲା । ଗତ ୪ ବର୍ଷ ଧରି ଏଭଳି ଠକେଇ କରୁଥିବା ଖୋଜିପାଇଛି ତଦନ୍ତକାରୀ ଟିମ୍ । ଏହି ମାମଲାରେ ଆଗରୁ ୪ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଗିରଫ ସଂଖ୍ୟା ୬କୁ ବଢ଼ିଛି । ଠକେଇ ଟଙ୍କାରୁ ୫ କୋଟିରୁ ଅଧିକ ଟଙ୍କା ବ୍ଲକ୍ କରାଯାଇଥିବା ବେଳେ ୩୩ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି EOW । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଖୋଳତାଡ଼ ଜାରି ରହିଛି ।.

