ଗଞ୍ଜାମରେ ନଭେମ୍ବର ୩ ଯାଏଁ ଶିକ୍ଷାନୁଷ୍ଠାନ ଛୁଟି; ସରକାରୀ କର୍ମଚାରୀଙ୍କ ରବିବାର ଛୁଟି ବାତିଲ

Uttarakhand school holiday 2026 schools closed in four districts today 1200x675 1784626337268 1024x576
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଜରୁରୀକାଳୀନ ସ୍ଥିତି ଓ ରିଲିଫ୍‌-ପୁନରୁଦ୍ଧାର କାର୍ଯ୍ୟ ପାଇଁ ନଭେମ୍ବର ୧ ରବିବାର ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶ ସଂଖ୍ୟା ୩୨୭୭ ଅନୁଯାୟୀ, ସ୍ପେଶାଲ ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ପାଣିପାଗ ସୂଚନାରେ ଗଞ୍ଜାମ ପାଇଁ ‘ୟେଲୋ’ ଓ ‘ଅରେଞ୍ଜ’ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ନଭେମ୍ବର ୩ ପର୍ଯ୍ୟନ୍ତ ବନ୍ଦ ରହିବ।ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବେ।
ସେହିପରି ଆଦେଶ ସଂଖ୍ୟା ୩୨୭୫ ଅନୁଯାୟୀ, ଜିଲ୍ଲାରେ ବନ୍ୟା ପରିସ୍ଥିତି ସହ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଥିବାରୁ ନଭେମ୍ବର ୧ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଜିଲ୍ଲାସ୍ତରୀୟ, ଉପଖଣ୍ଡ, ବ୍ଲକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସରେ ଉପସ୍ଥିତ ରହି ଜରୁରୀକାଳୀନ ଓ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।ଏହି ନିର୍ଦ୍ଦେଶ ଅମାନ୍ୟ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Share