ଯାଜପୁର : ଗ୍ୟାସ ସିଲିଣ୍ଡର ଲିକ ହୋଇ ୩ଜଣ ଗୁରୁତର ହେବା ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ବାପା ପୁଅଙ୍କ ମୃତ୍ୟୁ । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଗୁଲଜାରନଗରପାଟଣାରେ ଥିବା ଏକ ଜଳଖିଆ ଦୋକନରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଆଜି ୩ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳଖିଆ ବ୍ୟବସାୟୀ ତଥା ବାପା ଖଗେଶ୍ୱର ସାହାଣୀ ଓ ପୁଅ ଗିରିଜାକାନ୍ତ ସାହାଣୀ ।
ସୂଚନା ମୁତାବକ ଏହି ଗୁଲଜରନଗରପାଟଣା ଗାଁର ଗିରିଜାକାନ୍ତ ସାହାଣୀ ଏକ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଗତକାଲି ଦୋକାନରେ ଜଲଖିଆ ପ୍ରସ୍ତୁତ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଲିକ ହୋଇ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ଗିରିଜାଙ୍କ ଦେହରେ ନିଆଁ ଲାଗିବା ସହ ତାଙ୍କ ବାପା ତାଙ୍କ ନିକଟକୁ ଦୌଡ଼ି ଆସିବାରୁ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ସେଠାରେ ଥିବା ଅନ୍ୟ ଜଣେ ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ପୁଅଙ୍କ ମୃତ୍ୟୁ ଘଟିଛି । ଆଜି ଗାଁରେ ମୃତଦେହ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏପଟେ ବଡ଼ଚଣା ବିଧାୟକ ଅମର ନାୟକ ଗାଁରେ ପହଂଚି ମୃତକ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

