ଭୁବନେଶ୍ୱର : ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ବୟସ ବଢ଼ାଇଲେ କିନ୍ତୁ ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ l ଏହାକୁ ନେଇ ଓପିଏସସି ଆଶାୟୀ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏହି ନିୟମ ଅନୁଯାୟୀ ରାଜ୍ୟର ପ୍ରାୟ ୪୦ହଜାରରୁ ଅଧିକ ଓପିଏସସି ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଂଚିତ ହେବାକୁ ଯାଉଛନ୍ତି l ଏନେଇ ଭୁବନେଶ୍ୱର ଜୟଦେବଭବନ ସମ୍ମୁଖରେ ରାଜ୍ୟ ସଂଯୋଜକ ଦୀପକ ରାଉତଙ୍କ ନେତୃତ୍ୱରେ ଶତାଧିକ ଆଶାୟୀ ଏକତ୍ରିତ ହୋଇଛନ୍ତି । ଆସନ୍ତା ଜୁନ ୭ରେ ହେବାକୁ ଥିବା ପରୀକ୍ଷାରେ ଅତିରିକ୍ତ ସୁଯୋଗ ଦେବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି l
ସେହିପରି ବହୁ ସମୟରେ ନୋଟିଫିକେସନରେ ବିଳମ୍ବ, ଅଧିକ ଦିନ ପରୀକ୍ଷା ଆଦି ବ୍ୟବସ୍ଥା ଯୋଗୁ ଆଶାୟୀମାନେ ସେମାନଙ୍କର ଅତିରିକ୍ତ ସୁବର୍ଣ୍ଣ ସୁଯୋଗ ହରାଇବାକୁ ପଡୁଛି l ଦେଶର ଅନ୍ୟ ରାଜ୍ୟମାନଙ୍କରେ ବୟସ ସୀମା ପର୍ଯ୍ୟନ୍ତ ପରୀକ୍ଷା ଦେବା ପାଇଁ ସୁଯୋଗ ଥିବା ବେଳେ ଓଡିଶାରେ ଏହାର ବ୍ୟତିକ୍ରମ ରହିଛି l ତେବେ ଏହାକୁ ସରକାର ବିଚାରକୁ ନେଇ ତୁରନ୍ତ ଏହି ନିୟମ ପରିବର୍ତନ କରି ଅତିରିକ୍ତ ସୁଯୋଗ ଦେବାକୁ ଦାବି ଜୋର ଧରିଛି । ନଚେତ ଆଗାମୀ ଦିନରେ ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ ।

