ବେଗୁନିଆ: ଅବିରତ ଅବିଶ୍ରାନ୍ତ ଏବଂ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେଉଁଠି ଘର ଭିତରେ ଆଣ୍ଠିଏ ପାଣି ତ ଆଉ କେଉଁଠି ରାସ୍ତା ଉପରେ ତିନି ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ଲଗାଣ ବର୍ଷା ହେବା କାରଣରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହେଇଥିବା ବେଳେ ଲଗାଣ ବର୍ଷାରେ କଣ୍ଟାବାଡ଼ ମଲ୍ଳୀପଦର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତା ଉପରେ ତିନି ଫୁଟର ପାଣି ଚାଲୁଛି। ଯାହା ଫଳରେ କଣ୍ଟାବାଡ଼ରୁ ମଲ୍ଳୀପଦରକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି। ସେହିପରି ଓସ୍ତପୁର ଗ୍ରାମରେ ମଧ୍ୟ ଏକାଧିକ ବ୍ୟକ୍ତିଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶିଯାଇଛି। ଜଳ ସଠିକ ଭାବେ ନିଷ୍କାସିତ ନହେବା ସହ ପ୍ରବଳ ବର୍ଷା କାରଣରୁ ଏହିପରି ପରିସ୍ଥିତି ଉପୁଜିଛି।ଭାରି ଵର୍ଷାରେ ଚାଷୀ କୁଳର ବ୍ୟାପକ କ୍ଷତି ହେଇଥିବା ବେଳେ ପ୍ରଥମ ବର୍ଷାରେ ତଳି ଧାନ ନଷ୍ଟ ହେଇଥିବା ବେଳେ ପୁନର୍ବାର ଲଗାଣ ବର୍ଷା ଜଳ ତଳି ଧାନ ବ୍ୟାପକ ନଷ୍ଟ ହେଇଥିବା ଚାଷୀମାନେ କହିଛନ୍ତି। କିପରି ପୁଣି ଚାଷ ପାଇଁ ବିହନ କେଉଁଠୁ ଆଣିବେ ଫସଲ କିପରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ଚାଷ ଜମିରେ ପାଣି ପୂର୍ଣ୍ଣ ହେଇ ରହିଥିବାରୁ ଜମି ନଦୀର ଭ୍ରମ ସୃଷ୍ଟି କରୁଛି। ସବୁଠି ପାଣି ଆଉ ପାଣି।

