ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

Secreteriate

ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରଣ ରୋକିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ତିନି ବର୍ଷିଆ ଅଭିଯାନ ‘ପ୍ରୋଜେକ୍ଟ ବ୍ଲେସ୍’ ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସେଣ୍ଟର ଫର୍ ରିସର୍ଚ୍ଚ ଇନ୍ ସ୍କିମ୍ସ ଆଣ୍ଡ ପଲିସିଜ୍ (କ୍ରିସ୍ପ) ଏବଂ ଏନଏସଇ ଫାଉଣ୍ଡେସନ୍ ସହିତ ରାଜ୍ୟ ସରକାର ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଗୁରୁବାର ଦିନ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ମିଶନ ଶକ୍ତି ସଚିବ ମାନସୀ ନିମ୍ବଲଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ଜୀବିକା ମିଶନ ବା ଓଏଲଏମ ସହଯୋଗରେ ଏହି ପ୍ରକଳ୍ପକୁ ତୃଣମୂଳ ସ୍ତରରେ ପରିଚାଳନା କରାଯିବ। ପ୍ରୋଜେକ୍ଟ ବ୍ଲେସର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକମାନେ ଗାଁ ଛାଡିବା ପୂର୍ବରୁ ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପାଇଁ ନିଜ ଅଞ୍ଚଳରେ ଦୀର୍ଘସ୍ଥାୟୀ ରୋଜଗାରର ପନ୍ଥା ସୃଷ୍ଟି କରିବା।

ପ୍ରଥମ ପର୍ଯ୍ୟାୟରେ ଦାଦନ ପ୍ରବଣ ଥିବା ରାଜ୍ୟର ୮ଟି ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ାର ୬୯ଟି ବ୍ଲକରେ ଏହାକୁ ଲାଗୁ କରାଯିବ। ସରକାରୀ ଆକଳନ ଅନୁଯାୟୀ ଏହାଦ୍ୱାରା ପ୍ରାୟ ୮ ଲକ୍ଷ ୮୧ ହଜାର ଗ୍ରାମୀଣ ପରିବାର ଏବଂ ୮୬ ହଜାରରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ସିଧାସଳଖ ଉପକୃତ ହେବେ। ପ୍ରକଳ୍ପର ସଫଳ ରୂପାୟନ ପାଇଁ ଏସଏଚଜି ମଧ୍ୟରୁ ୫୫୦ ଜଣ ଜୀବିକା ସଖୀଙ୍କୁ ଚୟନ କରାଯାଇ ଦାୟିତ୍ୱ ଅର୍ପଣ କରାଯିବ।

ଏହି ପ୍ରକଳ୍ପ ଅଧୀନରେ ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ଲିକେସନ୍ ଜରିଆରେ ସମ୍ବେଦନଶୀଳ ପରିବାରଗୁଡ଼ିକର ସର୍ବେକ୍ଷଣ କରାଯିବ। ଚିହ୍ନଟ ହୋଇଥିବା ପରିବାରକୁ ଦକ୍ଷତା ବିକାଶ ତାଲିମ, ଆର୍ଥିକ ସେବା, ବଜାର ସୁବିଧା ଏବଂ ବିଭିନ୍ନ ସରକାରୀ ଯୋଜନା ସହ ଯୋଡ଼ାଯିବ। ଯଦି କୌଣସି ପରିସ୍ଥିତିରେ ଶ୍ରମିକମାନଙ୍କୁ ଅନ୍ୟତ୍ର କାମ କରିବାକୁ ଯିବାକୁ ପଡ଼େ ତେବେ ସେଠାରେ ସେମାନଙ୍କୁ ଉପଯୁକ୍ତ ମଜୁରୀ, ଆଇନଗତ ସହାୟତା ଏବଂ ସାମାଜିକ ସୁରକ୍ଷା ଯୋଗାଇ ଦେବା ନେଇ ବ୍ୟବସ୍ଥା କରାଯିବ।

ଏଥିସହ ପ୍ରବାସୀ ପରିବାରର ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରାଯିବ।

ମିଶନ ଶକ୍ତି ଏବଂ ସହଯୋଗୀ ସଂସ୍ଥାମାନଙ୍କର ଏହି ମିଳିତ ଉଦ୍ୟମ ଗ୍ରାମାଞ୍ଚଳରେ ଲୋକଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ସହ ଦାଦନ ସମସ୍ୟାର ମୂଳୋତ୍ପାଟନ ଦିଗରେ ବେଶ ସହାୟକ ହେବ। ବୁଝାମଣା ସମୟରେ ଏନଏସଇ ଫାଉଣ୍ଡେସନର ପ୍ରତିନିଧି ରେମା ମୋହନ ତଥା କ୍ରିସ୍ପର ପ୍ରତିନିଧି ଆର୍ ସୁବ୍ରମଣ୍ୟମ୍ ଓ ଜି ଭି ଜି ଶର୍ମାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ।

Share