ଗତ ଦୁଇଦିନ ତଳେ ଛାଡି ଯାଇଥିବା ବନ୍ୟା ପାଣି ଧିରେ ଧିରେ ସମଗ୍ର ଅଞ୍ଚଳକୁ କବଳିତ କରୁଛି। ଫଳରେ ଭଦ୍ରକ ବାସୀ ବାରମ୍ବାର ବନ୍ୟା କବଳରେ ପଡ଼ି କଲବଲ ହେଉଛନ୍ତି। ଜଳବନ୍ଦୀ ହୋଇ ରହିଛି ଅନେକ ଗାଁ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ଏହା ୧୯.୨୭ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି ।
ସେହିପରି ବଢୁଛି ଜଳକା ନଦୀର ଜଳସ୍ତର। ଆଉ ବସ୍ତାରେ ବଢ଼ୁଛି ବନ୍ୟା ଚିନ୍ତା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ର ନଦୀକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବସ୍ତା ବ୍ଲକ୍ ଦରଡା ପଞ୍ଚାୟତର ମନ୍ଦ୍ରଡା ଗାଁ ଭିତରକୁ ପଶିଛି ବନ୍ୟାଜଳ। ଗାଁର ରାସ୍ତାଘାଟ ଏବେ ପାଣିରେ ବୁଡ଼ିଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ବାଧ୍ୟ ହୋଇ ପାଣି ଭିତରେ ଯାତାୟାତ କରୁଛନ୍ତି। ଲଗାଣ ବର୍ଷା ଲାଗି ରହିଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।
