ବାରାଣସୀ ଏୟାରପୋର୍ଟରେ ଯାତ୍ରୀଙ୍କ ପିସ୍ତଲରୁ ଫୁଟିଲା ଗୁଳି, ୨ କର୍ମଚାରୀ ଆହତ

Varanasi

ବାରାଣସୀ : ଉତ୍ତର ପ୍ରଦେଶର ବାରାଣସୀ ବିମାନବନ୍ଦରରେ ସୁରକ୍ଷାରେ ବଡ଼ ତ୍ରୁଟି ଦେଖାଦେଇଛି । ଯାହା ଫଳରେ ଏୟାରପୋର୍ଟରେ ବଡ଼ ଅଘଟଣ ଘଟିଛି । ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିବା ଯୋଗୁଁ ବିମାନବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଦୁହିଁଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ମାମଲାର ଯାଞ୍ଚ ଚାଲିଛି । ବିମାନବନ୍ଦରରେ ଗୁଳିକାଣ୍ଡ ଘଟିବା ଯୋଗୁଁ କିଛି ସମୟ ପାଇଁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ଆଜି ସକାଳ ୯.୩୦ ସମୟରେ ବାରାଣସୀର ଲାଲ ବାହାଦୂର ଶାସ୍ତ୍ରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ଘଟଣା ଘଟିଛି । ଆଜମଗଡ଼ର ଜଣେ ଯାତ୍ରୀ ନିଜ ପତ୍ନୀଙ୍କ ସହ ମୁମ୍ବାଇ ଯିବା ପାଇଁ (ଫ୍ଲାଇଟ୍ ନମ୍ବର IX-1810) ବିମାନବନ୍ଦରରେ ପହଞ୍ଚିଥିଲେ । ସେ ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ପିସ୍ତଲ ଏବଂ ମ୍ୟାଗଜିନ୍ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ସୂଚନା ଦେଇଥିଲେ । ତେବେ ହତିଆର ଯାଞ୍ଚ କରାଯାଉଥିବା ବେଳେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୋଟିଏ ରାଉଣ୍ଡ ଗୁଳି ଫୁଟିଯାଇଥିଲା ।

ଗୁଳିଟି ପ୍ରଥମେ ଚଟାଣରେ ବାଜିବା ପରେ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ସୁରକ୍ଷା ସ୍କ୍ରିନରଙ୍କ ଦେହରେ ବାଜିଥିଲା । ଗୁଳିଟି ମହିଳା କର୍ମୀଙ୍କ ଜଙ୍ଘରେ ବାଜିଥିବା ବେଳେ ଅନ୍ୟ ଜଣେ ଯୁବ କର୍ମୀଙ୍କ ଆଙ୍ଗୁଠିରେ ବାଜିଛି । ଦୁହିଁଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ବାରାଣସୀ ପୋଲିସ ଏହି ଘଟଣାରେ ଏକ ବୟାନ ଜାରି କରି କହିଛି ଯେ, ହତିଆର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Share