ଲକ୍ଷ୍ନୌ : ଭାରତର ନୂଆ ‘ଦିବ୍ୟାସ୍ତ୍ର’। ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ସ୍ୱଦେଶୀ ସଫଳତା । ଲକ୍ଷ୍ନୌର ଭାରତୀୟ କମ୍ପାନୀ Kawa UAV (HoverIt) ପ୍ରସ୍ତୁତ କରିଥିବା ‘ଦିବ୍ୟାସ୍ତ୍ର Mk3’ ପ୍ରଥମ ଉଡ଼ାଣ ସଫଳତାର ସହ ସମ୍ପନ୍ନ କରିଛି । ଏହାକୁ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ଜେଟ୍ ଚାଳିତ ଲଟରିଂ ମୁନିସନ୍ ବୋଲି କମ୍ପାନୀ ଦାବି କରିଛି । ଏହା ଏପରି ଏକ ଆକ୍ରମଣକାରୀ ଡ୍ରୋନ୍ ଯାହା ଟାର୍ଗେଟ୍ ଅଞ୍ଚଳକୁ ଉଡ଼ିଯାଇ ସେଠାରେ କିଛି ସମୟ ଅପେକ୍ଷା କରିପାରିବ । ଲକ୍ଷ୍ୟ ଚିହ୍ନଟ ହେବା ପରେ ନିଜେ ସେହି ଟାର୍ଗେଟ୍ ଉପରେ ଆକ୍ରମଣ କରିପାରିବ । ଏହି କାରଣରୁ ଲଟରିଂ ମୁନିସନ୍ କୁ ସାଧାରଣତଃ ‘କାମିକାଜେ ଡ୍ରୋନ୍’ ମଧ୍ୟ କୁହାଯାଏ ।
‘ଦିବ୍ୟାସ୍ତ୍ର Mk3’ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ନିର୍ମାଣ। ଏହାର ଏୟାରଫ୍ରେମ୍ ଠାରୁ ଆରମ୍ଭ କରି ଜେଟ୍ ଇଞ୍ଜିନ୍, ସଫ୍ଟୱେର୍ ଓ ୱେପନ୍ ସିଷ୍ଟମ୍ ପର୍ଯ୍ୟନ୍ତ ଭାରତରେ ବିକଶିତ କରାଯାଇଛି। ଏଥିରେ ବ୍ୟବହୃତ ଜେଟ୍ ଇଞ୍ଜିନକୁ DG Propulsion ବିକଶିତ କରିଥିବା ବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଦେଶୀ ଯନ୍ତ୍ରାଂଶ ଉପରେ ନିର୍ଭର କରାଯାଇନଥିବା ଦାବି କରାଯାଇଛି। ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଏହାର ବିକାଶର ଗତି। ଧାରଣାଠାରୁ ଆରମ୍ଭ କରି ପ୍ରଥମ ଉଡ଼ାଣ ପର୍ଯ୍ୟନ୍ତ କମ୍ପାନୀକୁ ମାତ୍ର ଗୋଟିଏ ବର୍ଷ ସମୟ ଲାଗିଛି।
ଅଗଷ୍ଟ ୧୧ ତାରିଖରେ ଏହାର ପ୍ରଥମ ଉଡ଼ାଣ ହୋଇଥିବା ବେଳେ ଆଜି ଏହି ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ସାଧାରଣ ପ୍ରପେଲର୍ ଡ୍ରୋନ୍ ତୁଳନାରେ ଜେଟ୍ ଇଞ୍ଜିନ୍ ଯୋଗୁଁ ‘ଦିବ୍ୟାସ୍ତ୍ର Mk3’ ଅଧିକ ବେଗରେ ଉଡ଼ିପାରିବ। ଫଳରେ ଅତି କମ୍ ସମୟରେ ଟାର୍ଗେଟ୍ ନିକଟରେ ପହଞ୍ଚିବା ସହ ଏହାକୁ ରୋକିବା ପାଇଁ ଶତ୍ରୁର ଏୟାର୍ ଡିଫେନ୍ସ ସିଷ୍ଟମ୍ କୁ ମଧ୍ୟ କମ୍ ସମୟ ମିଳିବ। ଏହାର ଆଉ ଏକ ବଡ଼ ଲାଭ ହେଉଛି, ସୈନିକଙ୍କୁ ସିଧାସଳଖ ବିପଦ ମଧ୍ୟକୁ ନପଠାଇ ଦୂରରୁ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ୍ କୁ ଆଘାତ କରାଯାଇପାରିବ। ରାଡାର, ଆର୍ଟିଲାରୀ, କମାଣ୍ଡ ପୋଷ୍ଟ ଓ ଟ୍ୟାଙ୍କ ଭଳି ଉଚ୍ଚମୂଲ୍ୟର ସାମରିକ ଟାର୍ଗେଟ୍ ବିରୋଧରେ ଏଭଳି ଅସ୍ତ୍ର ବ୍ୟବହାର କରାଯାଇପାରେ।
HoverItର ‘ଦିବ୍ୟାସ୍ତ୍ର’ କେବଳ Mk3ରେ ସୀମିତ ନୁହେଁ। କମ୍ପାନୀ ପାଖରେ ପ୍ରାୟ ୫୦୦ କିଲୋମିଟର ରେଞ୍ଜ ବିଶିଷ୍ଟ Mk1 ଥିବା ଦାବି କରାଯାଇଛି । ଆହୁରି ଦୀର୍ଘ ରେଞ୍ଜର Mk2 ଉପରେ କାମ ଚାଲିଛି। Mk3ରେ ଜେଟ୍ ସ୍ପିଡ୍ ଯୋଡ଼ି ଏହି ସିରିଜ୍ କୁ ଆହୁରି କ୍ଷମତାଶାଳୀ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ହୋଇଥିବାରୁ ଏହି ଶ୍ରେଣୀର ଅସ୍ତ୍ର ପାଇଁ ବିଦେଶୀ ଯୋଗାଣକାରୀଙ୍କ ଉପରେ ଭାରତର ନିର୍ଭରଶୀଳତା କମିପାରିବ। ଯୁଦ୍ଧ ସମୟରେ ଯୋଗାଣ ଶୃଙ୍ଖଳାର ବିପଦ କମାଇବା ସହ ଖର୍ଚ୍ଚ ନିୟନ୍ତ୍ରଣ ଦିଗରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
