ଲୌହ ଖଣିରେ ଲୁହାପଥର ପଡ଼ି ଶ୍ରମିକ ମୃତ

Mines

ଭୁବନେଶ୍ୱର : ଲୌହ ଖଣିରେ ଅଘଟଣ। ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଲୁହାପଥର। ଘଟଣାସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଏକ ଲୌହଖଣିରେ ଏ ଅଘଟଣ ଘଟିଛି।  ମୃତ ଶ୍ରମିକ ଜଣକ ତରୁଣ ଭୁମିଜ ବୋଲି ଜଣାପଡ଼ିଛି ।  ଖଣିରୁ ନମୁନା ସଂଗ୍ରହ କରୁଥିବା ତରୁଣଙ୍କ ଉପରେ ଲୁହା ପଥର ଧସିଥିଲା ।  ଫଳରେ ସେହି ଲୁହା ପଥର ତଳେ ସେ ଚାପି ହୋଇ ଯାଇଥିଲେ।

ସେଠାରେ କାର୍ଯ୍ୟରତ ଶ୍ରମିକମାନେ ତରୁଣଙ୍କୁ ଉଦ୍ଧାର କରି ଟେନ୍ ସା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଅପରପକ୍ଷେ ତରୁଣଙ୍କ ମୃତ୍ୟୁ ନେଇ ତାତିଛନ୍ତି ଠିକା ଶ୍ରମିକ ।  ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉଭୟ ଠିକାଶ୍ରମିକ ଓ ତରୁଣଙ୍କ ପରିବାର ଲୌହଖଣି ଫାଟକ ଆଗରେ ଧାରଣା ଦେଇଛନ୍ତି।

ଖଣି ଫାଟକ ଆଗରେ ଶବ ରଖି ପ୍ରତିବାଦ ଜଣାଇଛନ୍ତି ବିକ୍ଷୋଭକାରୀ । ଶବ ସଂସ୍କାର ପାଇଁ ୫ ଲକ୍ଷ, ଅନ୍ୟାନ୍ୟ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଓ ମୃତକଙ୍କ ପୁଅକୁ ଚାକିରି ପ୍ରଦାନ ଦାବିରେ ଜାରି ରହିଛି ଧାରଣା ।  ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

Share