ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀ, ବିପନ୍ନଙ୍କ ସମସ୍ୟା ବୁଝି ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ

Screenshot 2026 08 17

ଯାଜପୁର : ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦଶରଥପୁରର ପତିରି ଘାଟରୁ ବୋଟ୍‌ ଯୋଗେ ବନ୍ୟାଞ୍ଚଳ ବୁଲିବା ସହ ବିପନ୍ନଙ୍କ ସହ କଥା ହୋଇ ସ୍ଥିତି ବୁଝିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପତିରି ଘାଟରେ ଦେଖିବାକୁ ମିଳିଥିଲା ରାଜନୈତିକ ହଟଗୋଳ ।

ଘଟଣାକୁ ନେଇ ଥାନାରେ ଏତଲା ଦେଇଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମର୍ଥକ ।  ସେପଟେ ଏହା ଏକ ନାଟକବାଜି ବୋଲି କହିଛନ୍ତି ସ୍ଥାନୀୟ ବିଜେପି ନେତା।  ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଆସି ଦଶରଥପୁରର ପତିରି ଘାଟରୁ ସ୍ୱତନ୍ତ୍ର ବୋଟ୍‌ ଯୋଗେ କସପା ଓ ତରପଦା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ପ୍ରଶାସନିକ ଅଧିକାରୀଙ୍କ ସହ ମଧ୍ୟ ସ୍ଥିତି ନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।

ସେହିପରି ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଭଦ୍ରକ ସର୍କିଟ ହାଉସ ଠାରେ ପହଞ୍ଚି ସେଠାରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗିୟ ଅଧିକାରୀଙ୍କ ସହ ବନ୍ୟାର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରେ ବୋଟ ଯୋଗେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁରକୁ ଯାଇଥିଲେ। ସେଠାରେ ବନ୍ୟା ବିପନ୍ନ ଲୋକଙ୍କ ସ୍ଥିତି ଓ ସେଲଟରରେ ଥିବା ଲୋକଙ୍କ ସ୍ଥିତି ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି, ରାଜ୍ୱାସ ମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share