ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା, ବସୁନ୍ଧରା ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ବ

Nitin nabin

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମୋର୍ଚ୍ଚାର ସଭାପତି ପର୍ଯ୍ୟନ୍ତ ସାଂଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ ହୋଇଛି । ନିତିନ ନବୀନଙ୍କ ନୂଆ ଟିମ୍ ରେ ଅଭିଜ୍ଞ ନେତାଙ୍କ ସହ ଅନେକ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ନୂଆ ଟିମ୍ ରେ ମୋଟ ୧୩ ଜଣଙ୍କୁ ଜାତୀୟ ଉପସଭାପତି କରାଯାଇଛି । ତାଲିକାରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂ ରାୱତ, ରାମ ମାଧବ, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ ଅଛନ୍ତି । ସେହିପରି ଡକ୍ଟର ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ୍. ନାଗରାଜା, ପ୍ରଫେସର ତାରିକ ମନସୁର ଓ ଡା. ମଧୁଚନ୍ଦ୍ର କରଙ୍କ ସମେତ ବରିଷ୍ଠ ନେତା ରହିଛନ୍ତି ।

ବି.ଏଲ୍. ସନ୍ତୋଷଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ଶିବପ୍ରକାଶ ଓ ସୌଦାନ ସିଂଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ କରାଯାଇଛି । ନୂଆ ଟିମ୍ ରେ ଜାତୀୟ ସାଧାରଣ ସମ୍ପାଦକ ଅଛନ୍ତି ସ୍ମୃତି ଇରାନୀ । ତାଙ୍କ ସହ ବିନୋଦ ତାୱଡେ, ସୁନୀଲ ବଂଶଲ, ବିପ୍ଳବ କୁମାର ଦେବ, ଡା. ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଓ ସଞ୍ଜୟ ଭାଟିଆଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ଦଳ ପକ୍ଷରୁ ୧୬ ଜଣ ନେତାଙ୍କୁ ଜାତୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। କବିତା ପାଟିଦାର, କେ. ସୁରେନ୍ଦ୍ରନ, ଡ. ଭୋଲା ସିଂ, ଡ. ପ୍ରଦୀପ ବର୍ମା, ଜଗଦୀଶ ଈଶ୍ୱରଭାଇ ପଟେଲ, ଡ.ସନ୍ଦୀପ ପାଠକ, ଫାଙ୍ଗନନ କୋନ୍ୟାକ, ସଙ୍ଗୀତା ଯାଦବ, ଅନିଲ ଆଣ୍ଟୋନି, ଡ. ଏମ୍. ଭେଙ୍କଟେଶନ, ମନୋଜ ଟିଗ୍ଗା, ସିଦ୍ଧାର୍ଥ ଶମ୍ଭୁ, ଡ. ସ୍ୱଦେଶ ସିଂ, ମୃଗାଙ୍କ ଦେଓ ବର୍ମନ, ରୋହନ ଗୁପ୍ତା ଓ ଜୟ ପ୍ରକାଶ ଏହି ତାଲିକାରେ ରହିଛନ୍ତି ।

ସେହିପରି ପୀୟୂଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଏବଂ ରାଜେଶ ମଙ୍ଗଳଙ୍କୁ ଜାତୀୟ ଯୁଗ୍ମ କୋଷାଧ୍ୟକ୍ଷ କରାଯାଇଛି । ତରୁଣ ଚୁଘଙ୍କୁ କେନ୍ଦ୍ରୀୟ କାର୍ଯ୍ୟାଳୟ ପ୍ରଭାରୀ ଏବଂ ମହେନ୍ଦ୍ର ପାଣ୍ଡେଙ୍କୁ କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ପାଦକ ଦାୟିତ୍ୱ ମିଳିଛି । ବିଜେପିର ବିଭିନ୍ନ ମୋର୍ଚ୍ଚାର ନେତୃତ୍ୱରେ ମଧ୍ୟ ପରିବର୍ତ୍ତନ ହୋଇଛି । ଡ. ହେମାଙ୍ଗ ଯୋଶୀଙ୍କୁ ଯୁବ ମୋର୍ଚ୍ଚା, ରୂପ କୁମାରୀ ଚୌଧୁରୀଙ୍କୁ ମହିଳା ମୋର୍ଚ୍ଚା, ଅମରପାଲ ମୌର୍ଯ୍ୟଙ୍କୁ ଓବିସି ମୋର୍ଚ୍ଚା ଏବଂ ବଂଶୀଲାଲ ଗୁର୍ଜରଙ୍କୁ କିଷାନ ମୋର୍ଚ୍ଚାର ନେତୃତ୍ୱ ଦିଆଯାଇଛି ।

ସେହିପରି ଶିବେଶ କୁମାର ରାମଙ୍କୁ ଏସ୍ ସି ମୋର୍ଚ୍ଚା, ଡ. ମନ୍ନାଲାଲ ରାୱତଙ୍କୁ ଏସ୍ ଟି ମୋର୍ଚ୍ଚା ଏବଂ କୁଁୱର ବସିତ ଅଲିଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚାର ଜାତୀୟ ସଭାପତି କରାଯାଇଛି । ଆଗାମୀ ନିର୍ବାଚନୀ ଓ ସାଂଗଠନିକ ଚ୍ୟାଲେଞ୍ଜକୁ ନଜରରେ ରଖି ଅଭିଜ୍ଞତା ଓ ନୂଆ ନେତୃତ୍ୱର ସମନ୍ୱୟରେ ଏହି ଟିମ୍ ଗଠନ କରାଯାଇଥିବା ସ୍ପଷ୍ଟ ହେଉଛି । ନୂଆ ଜାତୀୟ ଟିମ୍ ରେ ଓଡ଼ିଶାର ଡକ୍ଟର ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସଂଯୋଜକ ଭାବେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଦିଆଯାଇଛି ।

Share