ବିମାନ ଟିକେଟ ମହଙ୍ଗା ନେଇ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା, ଧାର୍ଯ୍ୟ ନିୟମ ପାଳନ କରିନପାରିଲେ ଉଡ଼ାଣ ବନ୍ଦ କର

Supremecourt

ନୂଆଦିଲ୍ଲୀ : ପର୍ବପର୍ବାଣୀ ଏବଂ ଛୁଟି ସମୟରେ ବିମାନ ଟିକେଟ ଦାମ୍ ମହଙ୍ଗା ହେବା ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଏବଂ ସନ୍ଦୀପ ମେହତାଙ୍କ ପୀଠ କହିଛି କି, ଯଦି ଏୟାରଲାଇନ୍ସ ଧାର୍ଯ୍ୟ ନିୟମ ପାଳନ କରିପାରୁନାହିଁ, ତେବେ ଉଡ଼ାଣ ବନ୍ଦ କରିଦେଉ । ଯାତ୍ରୀଙ୍କ ହିତ ପାଇଁ ବ୍ୟବସ୍ଥା କରାଯାଇଛି, କିନ୍ତୁ ଏହାର ପାଳନକୁ ନେଇ ଏବେ ସ୍ଥିତି ସ୍ପଷ୍ଟ ନାହିଁ ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟରେ ଏହି ମାମଲାରେ ଶୁଣାଣି ସମୟରେ କେନ୍ଦ୍ର ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ କହିଛନ୍ତି, ବିମାନ ଯାତ୍ରା ଏବଂ ଶୁଳ୍କ ସହିତ ଜଡ଼ିତ ନିୟମ କରିବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । ସେ କୋର୍ଟକୁ ସିଲବନ୍ଦ ଲିଫାଫାରେ ନିୟମ ମଧ୍ୟ ପ୍ରଦାନ କରିଛନ୍ତି । ନିୟମକୁ ଅନ୍ତିମ ରୂପ ଦେବାକୁ ୩ ସପ୍ତାହ ସମୟ ଲାଗିବ ଏବଂ ଏହାପରେ କୋର୍ଟ ବିଚାର କରିବେ ।

ଯାଚିକାକର୍ତ୍ତାଙ୍କ କହିବା ମୁତାବକ, ଏହି ମାମଲା ଦୁଭାର୍ଗ୍ୟପୂର୍ଣ୍ଣ ଯେ, ନାଗରିକ ଉଡ୍ଡୟନ ମନ୍ତ୍ରୀ ସଂସଦରେ କହିଛନ୍ତି, ସରକାର ବିମାନ ଯାତ୍ରା ଭଡ଼ାକୁ ନେଇ କୌଣସି ସୀମା ଧାର୍ଯ୍ୟ କରିପାରିବେ ନାହିଁ । ଏୟାରଲାଇନ୍ସ ଯେଉଁଭଳି ଭାବେ ଯାତ୍ରୀଙ୍କ ଠାରୁ ଶୁଳ୍କ ଆଦାୟ କରୁଛି, ସେଥିପାଇଁ ପ୍ରସ୍ତୁତ ହୋଇଥିବା କୌଣସି ଅଫିସିଆଲ ନିୟମ ସଠିକ୍ ଭାବେ ପାଳନ ହେଉନାହିଁ ।

ସର୍ବୋଚ୍ଚ ଅଦାଲତ ଏହାପୂର୍ବରୁ ଉତ୍ସବ ଏବଂ ପର୍ବପର୍ବାଣୀ ସମୟରେ ବିମାନ ଯାତ୍ରା ଭଡ଼ା ବଢାଇବାକୁ ନେଇ ଯାତ୍ରୀଙ୍କୁ ଶୋଷଣ କରୁଥିବା କହିଥିଲେ । ଗୋଟିଏ ରୁଟ୍ ପାଇଁ ଅଲଗା ଅଲଗା ଏୟାରଲାଇନ୍ସର ଭିନ୍ନ ଭିନ୍ନ ଭଡ଼ା ରହିଛି । ଗୋଟିଏ ରୁଟରେ ଟିକେଟ ଦାମ୍ ୮ ହଜାର ଆରମ୍ଭ କରି ୧୮ ହଜାର ଯାଏଁ ମଧ୍ୟ ରହିଛି ।

ତେବେ ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ତରଫରୁ ମଗାଯାଇଥିବା ୩ ସପ୍ତାହର ସମୟକୁ ସ୍ବୀକାର କରିଛି । ଏବେ ଏହି ମାମଲାର ଆଗାମୀ ଶୁଣାଣି ୭ ସେପ୍ଟେମ୍ବରରେ ହେବ ।

Share