ବନ୍ୟାଞ୍ଚଳରେ ଗୃହପାଳିତ ପଶୁଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ANIMAL C

ଭୁବନେଶ୍ୱର : ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୮୮ ବ୍ଳକ, ପ୍ରାୟ ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ , ୮୩ ହଜାର ୨୬୫ ଚାଷୀ, ପ୍ରଭାବିତ ହୋଇଛନ୍ତି । ୩୬ ଟି ରାପିଡ ରେସପନ୍ସ ଟିମ୍ ମୂତୟନ ହୋଇଛି । ସେହିପରି ୫୦ ଅନିମଲ ହେଲଥ କ୍ୟାମ୍ପ କରାଯାଇଛି ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ । ସରକାରଙ୍କ ପକ୍ଷରୁ ବନ୍ୟା ପୀଡିତ ପାଇଁ ସହାୟତା ଦିଆଯାଉଛି l ମୁଖ୍ୟମନ୍ତ୍ରୀ ନିଜେ ପାଣି ଭିତରକୁ ଯାଇ ପୀଡିତଙ୍କ ସହ ଆଲୋଚନା କରିଛନ୍ତି l କ୍ଷତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗ୍ରାଉଣ୍ଡରେ ତଦାରଖ କରିଛନ୍ତି ବୋଲି କହିଛନ୍ତି ।

ସେହିପରି ବରୀରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ବ୍ରାହ୍ମଣୀରେ ଆସିଥିବା ଦ୍ଵିତୀୟ ବନ୍ୟାରେ ବେହାଲ ବରୀ ଅଞ୍ଚଳ । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ବରୁହାଁ – ବରୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ବରୀକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେପଟେ ବରୀ – କଳାମାଟିଆ ରାସ୍ତା ବନ୍ୟା ପାଣିରେ ବୁଡି ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ରାହ୍ମଣୀ ନଦୀର ଜେନାପୁରରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବରୀ ବ୍ଲକର ୨୯ଟି ପଞ୍ଚାୟତର ଶତାଧିକ ଗାଁ ଜଳବନ୍ଦୀ ଅବସ୍ଥାରେ। ଲୋକେ ଘରୁ ବାହାରି ପାରୁନଥିବା ବେଳେ ଗାଁ ଭିତରେ ବନ୍ୟା ଜଳ ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ବୁଡି ଯାଇଛି ଏକର ଏକର ଚାଷ ଜମି । ବ୍ରାହ୍ମଣୀରେ ଘାଇ ହେବା ଫଳରେ ବରୀର ଅବସ୍ଥା ସଙ୍ଗୀନ ହୋଇପଡିଛି ।

Share