ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି କିସ୍ତିରେ ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ରାକ୍ଷୀପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତରେ ଏହି ସମସ୍ତ ମା’ ଓ ଭଉଣୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତାକୁ ଆହୁରି ମଜଭୁତ କରିବ।
ଟଙ୍କା ବଣ୍ଟନ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ନିର୍ଭୁଲ, ସ୍ୱଚ୍ଛ ଓ ନିର୍ବିଘ୍ନ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଉପମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡିବିଟି ପ୍ରକ୍ରିୟା ଶେଷ କରିବା ସହିତ ହିତାଧିକାରୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ ବେଳେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୁଭଦ୍ରା ଯୋଜନାର ଏହି କିସ୍ତି ବଣ୍ଟନକୁ ନେଇ ସମଗ୍ର ରାଜ୍ୟର ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
