ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍କୁ ବନ୍ଦ କରାଯାଇଛି ।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍ ୧୧ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବା ସୂଚନା ରହିଛି ।
ସୂଚନାଥାଉକି, ସକାଳ ସାଢ଼େ ୯ଟା ସମୟରେ ମିଳିଥିବା ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ୬୨୧.୫୦ ଫୁଟ ରହିଛି। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୫୯ ହଜାର ୮୫୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୨ ଲକ୍ଷ ୭ ହଜାର ୧୪୧ ଘନଫୁଟ ଜଳ ନିଷ୍କାସିତ ହେଉଛି।
ସେଥିମଧ୍ୟରୁ ୧୧ଟି ସ୍ଲୁଇସ ଗେଟ୍ ଜରିଆରେ ୧ ଲକ୍ଷ ୭୩ ହଜାର ୬୧୩ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ୍ ୩୪,୦୬୪ ଘନଫୁଟ ଜଳ ନିଷ୍କାସିତ ହେଉଛି।
