ଜାତିସଂଘ କମିଟି ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

Screenshot 2026 08 26

ନୂଆଦିଲ୍ଲୀ: ଜାତିଗତ ଭେଦଭାବ ଦୂରୀକରଣ ସମ୍ବନ୍ଧୀୟ ମିଳିତ ଜାତିସଂଘ କମିଟି (UNCERD) ଦ୍ୱାରା ଭାରତ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ରାଜନୈତିକ ଭାବରେ ପ୍ରେରିତ ଓ ଦୁର୍ଭାବନାପୂର୍ଣ୍ଣ ଉଲ୍ଲେଖଗୁଡ଼ିକୁ ଭାରତ ପ୍ରତ୍ୟାଖ୍ୟାନ କରୁଛି; ଏହା ସହିତ ମନ୍ତ୍ରଣାଳୟ CERDର ପ୍ରତିଷ୍ଠାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସ୍ମରଣ କରାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଜାତିଗତ ଭେଦଭାବ ଦୂରୀକରଣ ସମ୍ବନ୍ଧୀୟ ମିଳିତ ଜାତିସଂଘ କମିଟି (UN Committee on the Elimination of Racial Discrimination, UNCER)ର ରିପୋର୍ଟରେ ଥିବା ‘ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଓ ଅତ୍ୟନ୍ତ ଦ୍ୱେଷପୂର୍ଣ୍ଣ’ ଉଲ୍ଲେଖଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଜୈସୱାଲ କହିଛନ୍ତି ଯେ ଏଭଳି ଉଲ୍ଲେଖଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମଧ୍ୟ ଜଣାଇଛି ଯେ, CERD ସମୀକ୍ଷା ପରେ ଜେନିଭାସ୍ଥିତ ଭାରତୀୟ ମିଶନ୍ ପକ୍ଷରୁ ପୂର୍ବରୁ ଏକ ବିସ୍ତୃତ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇସାରିଛି। ଜୈସୱାଲ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ୧୧-୧୨ ତାରିଖରେ ଜେନିଭାରେ ଅନୁଷ୍ଠିତ ICERDର ୧୧ତମ ପର୍ଯ୍ୟାୟକ୍ରମିକ ସମୀକ୍ଷା ଥିଲା ଏକ ନିୟମିତ ଚୁକ୍ତିନାମା ସଂସ୍ଥାଗତ ସମୀକ୍ଷା, ଯେଉଁଥିରେ ଭାରତ ଏକ ସକାରାତ୍ମକ ମନୋଭାବ ନେଇ ଅଂଶଗ୍ରହଣ କରିଥିଲା।

ସେ କହିଥିଲେ ଯେ ସମୀକ୍ଷା ବୈଠକରେ ଭାରତ ସାମ୍ବିଧାନିକ ସୁରକ୍ଷା, ଦୃଢ଼ ଆଇନଗତ ଢାଞ୍ଚା, ବହୁଳବାଦ ଏବଂ ସୀମାନ୍ତ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ପ୍ରୟାସ ଉପରେ ଆଲୋକପାତ କରିଥିଲା। ସେ ଏହା ମଧ୍ୟ ଦୃଢ଼ କରିଥିଲେ ଯେ ଜାତିଗତ ଭେଦଭାବ ବିରୋଧରେ ଲଢ଼ିବା ପାଇଁ ଭାରତର ପ୍ରତିବଦ୍ଧତା ଅଟଳ ରହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ୧୯୬୦ ଦଶକରେ ICERD (ଆଇସିଇଆରଡି)ର ଗଠନ ଓ ଖସଡ଼ା ପ୍ରସ୍ତୁତିରେ ଭାରତ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଭାରତ ସ୍ମରଣ କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଅନୁଯାୟୀ, ସମୀକ୍ଷା ସମୟରେ ଭାରତର ଆନ୍ତଃ-ମନ୍ତ୍ରଣାଳୟ ପ୍ରତିନିଧି ଦଳ ବ୍ୟାପକ ସାଧାରଣୀକରଣ, ପ୍ରମାଣ-ବିହୀନ ଅଭିଯୋଗ ଏବଂ ସମ୍ମିଳନୀର କାର୍ଯ୍ୟପରିସର ବା ନିର୍ଦ୍ଧାରିତ କ୍ଷମତା ବାହାରକୁ ଯିବାର ପ୍ରବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲା। ଭାରତ ଏହା ମଧ୍ୟ କହିଥିଲା ​​ଯେ କମିଟିର ମତାମତଗୁଡ଼ିକର ସମାଧାନ ପ୍ରଚଳିତ ପ୍ରକ୍ରିୟା ଅନୁଯାୟୀ କରାଯିବ।

ଏହା ପୂର୍ବରୁ, ଜେନିଭାସ୍ଥିତ ମିଳିତ ଜାତିସଂଘ କମିଟି ନିଜର ସାମ୍ପ୍ରତିକ ଅଧିବେଶନରେ ଫିନ୍‌ଲ୍ୟାଣ୍ଡ, ହଣ୍ଡୁରାସ୍, ଭାରତ ଏବଂ କୁଏତ୍ ସମ୍ପର୍କିତ ସମୀକ୍ଷା ପରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ଭାରତର ଏକ ବୃହତ୍ ଜନସଂଖ୍ୟା—ଯେଉଁଥିରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଦଳିତ ଏବଂ ରୋହିଙ୍ଗ୍ୟା ଶରଣାର୍ଥୀମାନେ ଅନ୍ତର୍ଭୁକ୍ତ—ସେମାନଙ୍କୁ ପ୍ରଭାବିତ କରୁଥିବା ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ନେଇ “ଗଭୀର ଉଦ୍‌ବେଗ” ପ୍ରକାଶ କରାଯାଇଛି। କମିଟି ଭାରତକୁ ଏଭଳି ସମସ୍ତ ଅଭିଯୋଗର ତ୍ୱରିତ, ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ କରିବା ସହ ଦାୟୀ ବ୍ୟକ୍ତିମାନଙ୍କ ପାଇଁ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ମଧ୍ୟ ଆହ୍ୱାନ ଜଣାଇଛି। କମିଟି ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ସମ୍ପ୍ରଦାୟଗୁଡ଼ିକ “ବର୍ଣ୍ଣଗତ ଭେଦଭାବଜନିତ ହିଂସା, ବଳର ଅତ୍ୟଧିକ ପ୍ରୟୋଗ, ନ୍ୟାୟିକ ପ୍ରକ୍ରିୟା ବାହାରେ ହତ୍ୟା, ଉଚିତ ପ୍ରକ୍ରିୟା ବିନା ମନଇଚ୍ଛା ଓ ଦୀର୍ଘକାଳୀନ ଅଟକ, ନିର୍ଯାତନା, ଦୁର୍ବ୍ୟବହାର ଏବଂ ଯୌନ ହିଂସାର” ସମ୍ମୁଖୀନ ହେଉଛନ୍ତି।

 

Share