ଟାଟାରେ ଚନ୍ଦ୍ର‌ଶେଖରନଙ୍କୁ ଆଉ ୫ ବର୍ଷ ନିଯୁକ୍ତି

17bbs 29 17092026 112 2026 09 17 16 56

ମୁମ୍ବାଇ: ତୃତୀୟ ପାଳିକୁ ଅପେକ୍ଷା ବହୁଦିନ ଅପେକ୍ଷା କରି ନିକଟରେ ଇସ୍ତଫା ଦେଇଥିବା ଏନ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସ ପକ୍ଷରୁ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତି ଦିଆଯାଇଛି। ଷ୍ଟକ୍‌ ବଜାରରେ ପ୍ରବେଶ କରିବାକୁ ଟାଟା ଉପରେ ଚାପ ପଡ଼ୁଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଟାଟା ସନ୍ସର ବୋର୍ଡ ବୈଠକରେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ୨୦୧୭ ପରଠାରୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରୁଛନ୍ତି।
ସାଇରସ ମିସ୍ତ୍ରୀଙ୍କୁ ଏକ ବିବାଦୀୟ ପରିସ୍ଥିତିରେ ପଦରୁ ହଟାଇବା ପରେ ଟାଟା ପରିବାର ବାହାରର ଜଣେ ବ୍ୟକ୍ତି ଭାବେ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ପ୍ରଥମ ପାଳିକୁ ସଫଳତାର ସହ ଶେଷ କରିବା ପରେ ତାଙ୍କୁ ଦ୍ବିତୀୟ ପାଳି ସୁଯୋଗ ଦିଆଯାଇଥିଲା। ସେହି କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବ୍ରୁଆରି ୨୦ରେ ଶେଷ ହେବାର ଥିଲା।ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ସନ୍ସ ଦାୟିତ୍ବ ତାଙ୍କ ସାବତ ଭାଇ ‌ନୋଏଲ ଟାଟା ନେଇଛନ୍ତି। ସେ ଚନ୍ଦ୍ରଶେଖରନଙ୍କ କାମ ଉପରେ ଏତେଟା ସନ୍ତୁଷ୍ଟ ନଥିଲେ। ବିଶେଷ କରି ଏୟାର ଇଣ୍ଡିଆ, ଜାଗୁଆର ଲ୍ୟାଣ୍ଡରୋଭର ଓ ଆଉ କିଛି ବ୍ୟବସାୟରେ ହେଉଥିବା କ୍ଷତିରେ ସେ ଜବାବ ଚାହୁଥିଲେ।
ସେଥିପାଇଁ ଚନ୍ଦ୍ରଶେଖରନଙ୍କ ତୃତୀୟ ପାଳି ନିଯୁକ୍ତିକୁ ସେ ଅଟକାଇ ଦେଇଥିବା ଆଲୋଚନା ହେଉଥିଲା। ପରିବର୍ତ୍ତିତ ପରିସ୍ଥିତି‌ରେ ତାଙ୍କୁ ପୁଣି ଏକ ସୁଯୋଗ ଦେବାକୁ ଟାଟା ସନ୍ସ ବୋର୍ଡ ନିଷ୍ପତ୍ତି ନେଇଛି। ତାମିଲନାଡ଼ୁରେ ଜନ୍ମିତ ଚନ୍ଦ୍ରଶେଖରନ ୧୯୮୭ରେ ଟାଟାର ସଫ୍ଟୱେର କମ୍ପାନି ଟିସିଏସ୍‌ରେ ଯୋଗଦେଇ ୨୦୦୯ ସୁଦ୍ଧା ସିିଇଓ ହୋଇଥିଲେ। ବୃହତ ବ୍ୟବସାୟ ସାମ୍ରାଜ୍ୟ ପରିଚାଳନା କରିବାରେ ତାଙ୍କ ଦକ୍ଷତା ଓ ରତନ ଟାଟାଙ୍କ ଭରସା ପାଇଁ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଥିଲେ। ତାଙ୍କ ଅମଳରେ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ଅଧିଗ୍ରହଣ କରିଥିଲା।

Share