ନୂଆଦିଲ୍ଲୀ: କୌଣସି ବ୍ୟକ୍ତି କିମ୍ବା ସଂଗଠନ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଜ ଦଖଲରେ ରଖିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ବିରୋଧ ପ୍ରଦର୍ଶନ ବିରୋଧରେ ଦାୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ପ୍ରତ୍ୟେକଙ୍କର ବିରୋଧ ପ୍ରଦର୍ଶନ କରିବାର ଅଧିକାର ରହିଛି ଏବଂ ଏହି ଅଧିକାରକୁ ସମ୍ମାନ ଦିଆଯିବା ଉଚିତ । ତେବେ ଗୋଟିଏ ଯାଗାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣସ୍ଥଳରେ ପରିଣତ କରିବା ମଧ୍ୟ ଉଚିତ ନୁହେଁ ।
ପର୍ବପର୍ବାଣୀ ସମୟରେ ବିରୋଧ ପ୍ରଦର୍ଶନ ଯୋଗୁଁ ବ୍ୟବସାୟିକ କାର୍ଯ୍ୟକଳାପ ପ୍ରଭାବିତ ହେଉଥିବା ଅଭିଯୋଗ କରି ଦିଲ୍ଲୀ କିରାଣା କମିଟି ପକ୍ଷରୁ ସୁପ୍ରିମକୋର୍ଟ ମାମଲା ଦାଏର କରାଯାଇଥିଲା । ମଙ୍ଗଳବାର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ଅନ୍ୟ ପକ୍ଷମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ସହ ଜଡ଼ିତ ଏକାଧିକ ଆବେଦନର ଶୁଣାଣି କରିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ରାମଲୀଳା ମୈଦାନରେ ଦିଆଯାଉଥିବା ଧାରଣା ଯୋଗୁଁ ଆଖପାଖ ଅଞ୍ଚଳରେ ବ୍ୟବସାୟ ପ୍ରଭାବିତ ହେଉଥିବା ସହ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଥିବା ଆବେଦନକାରୀ ଦର୍ଶାଇଛନ୍ତି । ବ୍ୟବସାୟୀ ସଂଗଠନଗୁଡ଼ିକ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କୋର୍ଟଙ୍କୁ କହିଥିଲେ ଯେ, ପ୍ରଦର୍ଶନ ସ୍ଥଳ ଆଖପାଖରେ ପ୍ରାୟ ୫୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଧାରଣା ଯୋଗୁଁ ଦୋକାନ ବନ୍ଦ ରହୁଛି ଏବଂ ପାର୍ବଣ ଋତୁରେ ବ୍ୟାବସାୟିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ଭିନ୍ନ ଓ ଅଭିନବ ଉପାୟ ବାହାର କରିବାକୁ ସେ ଅନୁରୋଧ କରିଥିଲେ।
