କଟକରେ ବେଆଇନ ବାଣ ଜବତ: ଲାଲବାଗ ଥାନା ପୋଲିସ ଦ୍ୱାରା ବ୍ୟବସାୟୀଙ୍କୁ ନୋଟିସ

15d62d49 b0a2 4a1c a674 6018942f1054

କଟକ ( ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ): କଟକ ସହରରେ ବିନା ଅନୁମତି ଓ ଲାଇସେନ୍ସରେ ବେଆଇନ ବାଣ ବିକ୍ରି ଏବଂ ମହଜୁଦ ରଖିବା ଅଭିଯୋଗରେ ଲାଲବାଗ ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦିନୀଚୌକ ଡଗରପଡ଼ା ସ୍ଥିତ ବ୍ରାହ୍ମଣୀ ସାହି ଅଞ୍ଚଳରେ ଘରେ ବେଆଇନ ଭାବେ ବାଣ ମହଜୁଦ ରଖି ବିକ୍ରି କରାଯାଉଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଲାଲବାଗ ଥାନା ଆଇଆଇସି (IIC) ଇନ୍ସପେକ୍ଟର ସତ୍ୟବ୍ରତ ଭୂତିଆଙ୍କ ନେତୃତ୍ୱରେ ପୋଲିସ ଟିମ୍ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଘରୁ ପ୍ରାୟ ୨ ଲକ୍ଷ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରାଯାଇଛି। ଉକ୍ତ ବାଣ ସାମଗ୍ରୀ ବିକ୍ରି ତଥା ସଂରକ୍ଷଣ ପାଇଁ କୌଣସି ବୈଧ ଲାଇସେନ୍ସ କିମ୍ବା ପ୍ରଶାସନିକ ଅନୁମତି ପତ୍ର ନ ଥିବା ଜଣାପଡ଼ିଛି।

13f91066 34f4 402e 806c 1f905ac42bb7
ଏହି ଘଟଣାରେ ଅଭିଯୁକ୍ତ ବସନ୍ତ ରଥ (ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ପୁଅ, ଠିକଣା: ବ୍ରାହ୍ମଣୀ ସାହି, ଡଗରପଡ଼ା, ଚାନ୍ଦିନୀଚୌକ)ଙ୍କ ବିରୋଧରେ ଲାଲବାଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମାମଲା ପଞ୍ଜୀକରଣ ପରେ ନିୟମାନୁଯାୟୀ ଅଭିଯୁକ୍ତଙ୍କୁ ସିଆରପିସି ଧାରା ୪୧ (CrPC 41 Notice) ଅନୁସାରେ ନୋଟିସ ଜାରି କରାଯାଇ ଛାଡ଼ି ଦିଆଯାଇଛି। ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share