ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରୁ ପାଣି ଓ ସଂକ୍ରମିତଙ୍କ ରକ୍ତ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗର ଟିମ । ଜଣ୍ଡିସ୍ ବ୍ୟାପିବାର ପ୍ରକୃତ କାରଣକୁ ନେଇ ଚାଲିଛି ଯାଞ୍ଚ । ଦୂଷିତ ପାଣି ନା ଖାଦ୍ୟ ଯୋଗୁ ଜଣ୍ଡିସ୍ ବ୍ୟାପିଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସ୍ବାସ୍ଥ୍ୟ ଟିମ୍ କହିଛି। ତେବେ ପୂଜା ଛୁଟି ପରେ ଗତ ୨୭ ତାରିଖରେ ଖୋଲିଥିଲା ହଷ୍ଟେଲ। ହଷ୍ଟେଲ ଖୋଲିବା ପରେ ଜଣେ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ଏହାର ୨/୩ ଦିନ ପରେ ଆଉ ଜଣେ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ହଷ୍ଟେଲରେ ଖେଳିଥିଲା ଜଣ୍ଡିସ ଆତଙ୍କ। ଅଭିଯୋଗ ପରେ ବିଏମସିର ଅର୍ବାନ ହେଲ୍ ଥ ସର୍ଭେଲାନ୍ସ ଟିମ୍ ହଷ୍ଟେଲରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଥିଲେ। ସେହିପରି ଅନ୍ୟ ୭ ଛାତ୍ରୀଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଗତକାଲି ୮ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ, ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିପାରେ।
ରିପୋର୍ଟ ଆସିବା ପରେ ହିଁ ସଂକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ମେଡିକାଲ ଅଫିସର ଜଣାଇଛନ୍ତି। ତେବେ ଜଣ୍ଡିସରେ ଆକ୍ରାନ୍ତ ଦୁଇ ଛାତ୍ରୀଙ୍କଠାରେ ପ୍ରଥମେ ସାମାନ୍ୟ ଜ୍ୱର ଓ ପେଟ ଯନ୍ତ୍ରଣା ଦେଖାଦେଇଥିଲା। ପରେ ସେମାନଙ୍କ ଚର୍ମ ହଳଦିଆ ପଡ଼ିବାର ଲକ୍ଷଣ ସାମ୍ନାକୁ ଆସିବାରୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।
ପରୀକ୍ଷା ପରେ ଦୁହିଁଙ୍କ ଠାରେ ଜଣ୍ଡିସ୍ ଚିହ୍ନଟ ହୋଇଥିଲା । ଅନ୍ୟପଟେ ବ୍ୟାପକ ଜଣ୍ଡିସ ଆଶଙ୍କାକୁ ଦୃଷ୍ଟିରେ ରଖି ହଷ୍ଟେଲରେ କଟକଣା ଜାରି ହୋଇଛି। ଛାତ୍ରୀମାନଙ୍କୁ ପାଣି ଫୁଟାଇ ଥଣ୍ଡା କରି ପିଇବାକୁ ପରାମର୍ଶ ଦିଆଯିବା ସହ ହଷ୍ଟେଲକୁ ORS ଯୋଗାଇ ଦିଆଯାଇଛି । ସେପଟେ ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।
