ଗାଜାରେ ବର୍ଷା ବିତ୍ପାତ: ଜଳମଗ୍ନ ହେଲା ଆଶ୍ରୟସ୍ଥଳୀ, ଶୀତରେ ବଢ଼ିଲା ଦୁର୍ଦ୍ଦଶା

IMG 20261107 WA0024 750x430

ଗାଜା ଉପତ୍ୟକାରେ ଚଳିତ ଶୀତ ଋତୁର ପ୍ରଥମ ସାମୁଦ୍ରିକ ଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ବିସ୍ଥାପିତ ପାଲେଷ୍ଟାଇନୀୟ ପରିବାରଙ୍କ ତମ୍ବୁ ଜଳମଗ୍ନ ହୋଇଯାଇଛି। ଶନିବାର ସକାଳୁ ଆରମ୍ଭ ହୋଇଥିବା ବର୍ଷା ଫଳରେ ଅନେକ ଆଶ୍ରୟସ୍ଥଳୀରେ ୩୦ରୁ ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ପାଣି ଜମି ରହିଛି, ଯାହାଦ୍ୱାରା ଲୋକମାନେ ପ୍ରବଳ ଥଣ୍ଡାରେ ଖୋଲା ଆକାଶ ତଳକୁ ଚାଲି ଆସିବାକୁ ବାଧ୍ୟ ହୋଇଛନ୍ତି।

ଗାଜାର ସିଭିଲ ଡିଫେନ୍ସ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବର୍ଷା ଆରମ୍ଭ ହେବାର ମାତ୍ର ୧୦ ଘଣ୍ଟା ମଧ୍ୟରେ ଉଦ୍ଧାର ପାଇଁ ପ୍ରାୟ ୧,୫୦୦ଟି ଜରୁରୀକାଳୀନ କଲ୍ ଆସିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଥିବା କେତେକ କୋଠା ଭୁଶୁଡ଼ି ପଡ଼ିଛି। ଉତ୍ତର ଗାଜାରେ ଏକ କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଆହତ ହୋଇଥିବା ବେଳେ ନୁସେଇରାତ ଅଞ୍ଚଳରେ ଏକକୋଠା ଆଂଶିକ ଭୁଶୁଡ଼ି ପଡ଼ିଥିବା କୋଠାରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଗାଜା ସିଟି, ଖାନ୍ ୟୁନିସ୍ ଏବଂ ଦେର୍ ଅଲ୍-ବାଲାହର ବିଭିନ୍ନ ଶିବିରରେ ଲୋକଙ୍କ ଗଦି ଓ କମ୍ବଳ ସମ୍ପୂର୍ଣ୍ଣ ଓଦା ହୋଇଯାଇଛି ଏବଂ ଶିଶୁମାନେ କାଦୁଅ ଓ ନର୍ଦ୍ଦମା ପାଣିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସିଭିଲ ଡିଫେନ୍ସ ମୁଖପାତ୍ର ମହମୁଦ ବାସଲ କହିଛନ୍ତି ଯେ ଶିଶୁ, ବୃଦ୍ଧ ଏବଂ ରୋଗୀମାନେ ସବୁଠାରୁ ଅଧିକ ବିପଦରେ ଅଛନ୍ତି। ବିଶେଷ କରି ସମୁଦ୍ର କୁଳିଆ ଅଲ୍-ମାୱାସି ଅଞ୍ଚଳରେ ରହୁଥିବା ୯ ଲକ୍ଷରୁ ଅଧିକ ବିସ୍ଥାପିତ ଏବଂ ୧ ଲକ୍ଷ ୨୫ ହଜାରରୁ ଅଧିକ ପରିବାରଙ୍କ ତମ୍ବୁ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଗାଜା ଜରୁରୀକାଳୀନ କମିଟିର ସୂଚନା ଅନୁଯାୟୀ, ୧୦ ଲକ୍ଷରୁ ଅଧିକ ବିସ୍ଥାପିତ ଲୋକ ଶୀତର ବିପଦ ସାମ୍ନା କରୁଥିବା ବେଳେ ତୁରନ୍ତ ପ୍ରାୟ ୨ ଲକ୍ଷ ନୂଆ ତମ୍ବୁ ଏବଂ କମ୍ବଳ, ଚାଦରର ଓ ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ, ଇସ୍ରାଏଲର କଟକଣା ଯୋଗୁଁ ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ ଗାଜା ମଧ୍ୟକୁ ପ୍ରବେଶ କରିପାରୁ ନଥିବା ସହାୟତା ସଂସ୍ଥାଗୁଡ଼ିକ ଅଭିଯୋଗ କରିଛନ୍ତି। ମିଶର ସୀମାରେ ୫୦,୦୦୦ ତମ୍ବୁ ଅଟକି ରହିଥିବା ବେଳେ ଦୈନିକ ଆବଶ୍ୟକୀୟ ୬୦୦ ଟ୍ରକ୍ ପରିବର୍ତ୍ତେ ମାତ୍ର ୧୮୦ରୁ ୨୦୦ ଟ୍ରକ୍ ଗାଜାକୁ ପ୍ରବେଶ କରୁଛି।

Share