ଝଲସୁଛି ଅଯୋଧ୍ୟା: ସରଯୂ କୂଳର ୫୬ଟି ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ

07bbs 68 07112026 112 2026 11 07 21 06

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଧୁମ୍‌ଧାମରେ ପାଳିତ ହୋଇଛି ଦଶମ ଦୀପୋତ୍ସବ। ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସି ଉଠିଛି ସମଗ୍ର ରାମନଗରୀ। ସରଯୂ ନଦୀ କୂଳର ୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ। ଏହି ମନୋରମ ଦୃଶ୍ୟ ଅଯୋଧ୍ୟାକୁ ଏକ ଆଧ୍ୟାତ୍ମିକ ଓ ଆକର୍ଷଣୀୟ ରୂପ ଦେଇଥିବା ବେଳେ ଉତ୍ସବରେ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ।

ଏଥର ଦୀପୋତ୍ସବରେ ପାରମ୍ପରିକତା ସହ ଆଧୁନିକ ଜ୍ଞାନକୌଶଳର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି। ରାମ କୀ ପୈଡ଼ି ସମେତ ସରଯୂ ନଦୀ କୂଳର ବିଭିନ୍ନ ଘାଟକୁ ଦୀପମାଳାରେ ସଜାଯାଇଥିବା ବେଳେ ଲେଜର ଶୋ ଓ ଡିଜିଟାଲ୍ ଆଲୋକସଜ୍ଜା ଉତ୍ସବର ଆକର୍ଷଣକୁ ଦ୍ୱିଗୁଣିତ କରିଛି। ଧର୍ମପଥରେ ସ୍ଥାପିତ ୫୦ଟି ଡିଜିଟାଲ୍ ସ୍ତମ୍ଭରେ ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରାଯାଇଛି। ସେହିପରି ଜାତୀୟ ରାଜପଥରୁ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ୧୨ ଫୁଟ ଉଚ୍ଚତାର ସ୍ତମ୍ଭରେ ରଙ୍ଗବେରଙ୍ଗ ଡିଜିଟାଲ୍ ଲାଇଟ୍ ଶୋ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି।

ଅନ୍ୟପଟେ ଦୀପୋତ୍ସବ ଅବସରରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ଭବ୍ୟ ଶୋଭାଯାତ୍ରା। ସାକେତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଏହା ରାମକଥା ପାର୍କରେ ଶେଷ ହୋଇଥିଲା। ଶୋଭାଯାତ୍ରାରେ ୨୧ଟି ଆକର୍ଷଣୀୟ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ରାମଚରିତମାନସର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ପ୍ରଭୁ ଶ୍ରୀରାମଙ୍କ ଜୀବନ, ଆଦର୍ଶ, ତ୍ୟାଗ ଓ ଧର୍ମପରାୟଣତାକୁ ଚିତ୍ରିତ କରାଯାଇଥିଲା।ପାରମ୍ପରିକ ଦୀପର ଆଲୋକ, ଆଧୁନିକ ଆଲୋକସଜ୍ଜା ଓ ରାମାୟଣ ଆଧାରିତ ସାଂସ୍କୃତିକ ପ୍ରଦର୍ଶନରେ ଅଯୋଧ୍ୟା ପାଲଟିଥିଲା ଭକ୍ତି ଓ ଉତ୍ସବର ମହାସଙ୍ଗମସ୍ଥଳୀ। ଦଶମ ଦୀପୋତ୍ସବର ଏହି ଭବ୍ୟ ଆୟୋଜନ ଦର୍ଶକଙ୍କ ମନରେ ଅଭୁଲା ସ୍ମୃତି ଛାଡ଼ିଯାଇଛି।

Share