କେନ୍ଦୁଝରରେ କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର କାୟାକଳ୍ପ ପାଇଁ ୩ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

04d6a2ea 33c7 459c 8030 8ca85bbb687b 750x430

ଭୁବନେଶ୍ୱର: ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦୁଝରରେ ଆଉ ଏକ ଐତିହାସିକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମପଞ୍ଚାୟତ ତଥା ସମଗ୍ର କେନ୍ଦୁଝର ଏବଂ ମୟୂରଭଞ୍ଜ କ୍ଲଷ୍ଟରକୁ ସଂଯୋଗ କରୁଥିବା ତିନୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୧୨୦ କୋଟି ଟଙ୍କାର ଏହି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ ରାଇକଳା, ସତିକୁଦର ଏବଂ ଜାରକାଣି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ କାର୍ୟ୍ୟକାରୀ ହେଉଛି, ଯାହାର କାର୍ୟ୍ୟ ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବୃହତ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ୪ ହଜାର ୨୮୦ ହେକ୍ଟର ଶୁଷ୍କ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇବ। ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଓ କେନ୍ଦୁଝର ବ୍ଲକର ଅନେକ ଗ୍ରାମ ସହିତ ମୟୂରଭଞ୍ଜ ଜିଲ୍ଲାର ଜାରକାଣୀ ଅଞ୍ଚଳ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ଏହି ପ୍ରକଳ୍ପ କେବଳ ପାଣି ପାଇପ୍ର ସଂଯୋଗ ନୁହେଁ, ଏହା ହେଉଛି ଆମର ଶୁଷ୍କ ମାଟିରେ ସୁନା ଫଳାଇବାର ଏକ ବୈପ୍ଳବିକ ପଦକ୍ଷେପ। ଏଥର ଚାଷୀମାନେ ବର୍ଷକୁ ଗୋଟିଏ ଫସଲ ବଦଳରେ ଦୁଇରୁ ତିନୋଟି ଫସଲ ଅମଳ କରିବେ ଏବଂ ସେମାନଙ୍କ ଆୟରେ ଆଖିଦୃଶିଆ ବୃଦ୍ଧି ହେବ। ଚଳିତ ବର୍ଷ ବଜେଟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ୧୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରାୟ ୮୦ ହଜାର ହେକ୍ଟର କମାଣ୍ଡ ଏରିଆକୁ ଉନ୍ନତ ଜଳସେଚନ ସୁବିଧା ମିଳିଛି। ଆନନ୍ଦପୁର ବ୍ୟାରେଜ୍, ଲୋୟର ସୁକତେଲ ଓ କୁସୁମୀ ବ୍ୟାରେଜ୍ ଅଧୀନରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ଲାଇନ୍ର ବ୍ୟବସ୍ଥା କରାଯାଉଛି। ଏତଦ୍ବ୍ୟତୀତ ରାଜ୍ୟରେ ୬୫୬ଟି ନୂଆ ଚେକ୍ଡ୍ୟାମ୍ ନିର୍ମାଣ ଏବଂ ୧ ହଜାର ୨୨ଟି ପୁରୁଣା ଚେକ୍ଡ୍ୟାମ୍ର ନବୀକରଣ କରାଯାଇଛି। ଆସନ୍ତା ପାଞ୍ଚ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ।

ସ୍ୱାସ୍ଥ୍ୟ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପ୍ରକଳ୍ପର ଶୁଭାରମ୍ଭ

ଝୁମ୍ପୁରା ଠାରେ ୧୭ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଏଚସିର ଶୁଭ ଉଦ୍ଘାଟନ କରିଛନ୍ତି, ଯାହାଦ୍ୱାରା ଗ୍ରାମାଞ୍ଚଳର ଆଦିବାସୀ ଓ ଚାଷୀ ଭାଇ ଭଉଣୀମାନେ ଉନ୍ନତ ଚିକିତ୍ସା ସେବା ନିଜ ଘର ପାଖରେ ପାଇପାରିବେ। ଏହାସହିତ ରାଇକଳାଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ନୂତନ ଶାଖାର ଉଦ୍ଘାଟନ କରାଯାଇଛି, ଯାହା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ସରକାରୀ ଋଣ ଏବଂ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବିଶେଷ ସହାୟକ ହେବ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଘୋଷଣା

ଆସନ୍ତା ଡିସେମ୍ବର ମାସରେ କେନ୍ଦୁଝର ଜିଲ୍ଲାର ବହୁପ୍ରତୀକ୍ଷିତ କାନୁପୁର ଜଳସେଚନ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍ଘାଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ବୃହତ ଜଳାଶୟ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମିକୁ ସ୍ଥାୟୀ ଜଳସେଚନ ସୁବିଧା ମିଳିପାରିବ, ଯାହା ସ୍ଥାନୀୟ କୃଷକମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିସହିତ ରାଇକଳା ଓ ସ୍ଥାନୀୟ ଯୁବକ ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୁଇଟି ବୃହତ ପ୍ରକଳ୍ପର ଘୋଷଣା କରିଛନ୍ତି। ରାଇକଳାଠାରେ ୨୪ କୋଟି ଟଙ୍କାର ବ୍ୟୟବରାଦରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ, ଯାହା ସ୍ଥାନୀୟ ଯୁବକ୍ରୀଡ଼ାବିତ୍ମାନଙ୍କ ଦକ୍ଷତା ବିକାଶ ଓ ସେମାନଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ସହାୟକ ହେବ। ଏହାସହିତ, ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଆବାସିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ୩୦ କୋଟି ଟଙ୍କାର ବ୍ୟୟରେ ଏକ ଅତ୍ୟାଧୁନିକ ଏସସି/ଏସଟି ଆବାସିକ ବିଦ୍ୟାଳୟ’ ଏସସି/ଏସଟି ରେସିଡେନସିଆଲ ସ୍କୁଲ ସ୍ଥାପନ କରାଯିବ।

ସମାରୋହରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ ଏବଂ କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶାଳ ଜନସମାବେଶ ଉପସ୍ଥିତ ଥିଲେ।

Share