ମୁମ୍ବାଇ : ଆଦାନୀ ଗ୍ରୁପର ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି । ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ୍ ଲିମିଟେଡ୍ (AAHL) ଦ୍ୱାରା ପରିଚାଳିତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (MIAL)ର ଏକ ନିଷ୍ପତ୍ତିକୁ ନେଇ ୧୨ଟି ବିଦେଶୀ ବିମାନ କମ୍ପାନୀ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି । ମାର୍ଚ୍ଚ ୨୦୨୭ରୁ ଆରମ୍ଭ ହେବାକୁ ଥିବା ଗ୍ରୀଷ୍ମକାଳୀନ ବିମାନ ଉଡ଼ାଣ ସୂଚୀ ପାଇଁ ଏହି ୧୨ଟି ବିଦେଶୀ ଏୟାରଲାଇନ୍ସକୁ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ-୨ରେ ସ୍ଲଟ୍ ଦେବାକୁ ମନା କରାଯାଇଛି ।
ଆଦାନୀ ଗ୍ରୁପ୍ରର କହିବା ଅନୁଯାୟୀ, ଟର୍ମିନାଲ-୨ରେ ସାଧାରଣତଃ ଅଧିକ ଭିଡ଼ ରହୁଛି । ତେଣୁ ମାର୍ଚ୍ଚ ୨୦୨୭ରୁ କତାର, ସାଉଦି ଆରବ, ଓମାନ ଭଳି ଉପସାଗରୀୟ ଦେଶ ଏବଂ ନେପାଳକୁ ଯାଉଥିବା କିଛି ବିମାନର ଉଡ଼ାଣ ଓ ଅବତରଣ ନଭି ମୁମ୍ବାଇର ନୂଆ ବିମାନବନ୍ଦରକୁ ସ୍ଥାନାନ୍ତର କରାଯିବ । ଦୋହା, ରିୟାଦ, ଜେଦ୍ଦା, ମସ୍କଟ, କୁଏତ ଓ କାଠମାଣ୍ଡୁ ଭଳି ସହରକୁ ଯାଉଥିବା ବିମାନଗୁଡ଼ିକୁ ମୁମ୍ବାଇ ବଦଳରେ ନଭି ମୁମ୍ବାଇ ବିମାନବନ୍ଦରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ରହିଛି । ଏହାକୁ ନେଇ ବିଦେଶୀ ଏୟାରଲାଇନ୍ସଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତେଣୁ ପ୍ରଭାବିତ ୧୨ଟି ବିମାନ କମ୍ପାନୀ ମଧ୍ୟରେ ନେପାଳ ଏୟାରଲାଇନ୍ସ ସହ କତାର ଏୟାରୱେଜ୍, ସାଉଦିଆ, ଓମାନ ଏୟାର ଏବଂ ଏୟାର ଆରବିଆ ଭଳି ବିଦେଶୀ ବିମାନ ସେବା ସଂସ୍ଥା ରହିଛନ୍ତି । ଏହି ଏୟାରଲାଇନ୍ସଗୁଡ଼ିକର ଅଭିଯୋଗ ଯେ, ସେମାନେ ଦୀର୍ଘବର୍ଷ ଧରି ମୁମ୍ବାଇର ମୁଖ୍ୟ ବିମାନବନ୍ଦରରୁ ବିମାନ ଚଳାଚଳ କରୁଛନ୍ତି । କିନ୍ତୁ ସେମାନଙ୍କୁ ଆଗୁଆ ସୂଚନା ନଦେଇ କିମ୍ବା ସେମାନଙ୍କ ସହମତି ନ ନେଇ ହଠାତ୍ ନୂଆ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଉଛି । ଏହା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ସେମାନେ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଆଦାନୀ ଗ୍ରୁପ୍ ପୂର୍ବରୁ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଭଳି ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ନଭି ମୁମ୍ବାଇ ବିମାନବନ୍ଦରକୁ ସ୍ଥାନାନ୍ତର ହେବାକୁ କହିଥିଲା । ଭାରତୀୟ ବିମାନ କମ୍ପାନୀଗୁଡ଼ିକ ବିଦେଶୀ ଏୟାରଲାଇନ୍ସଗୁଡ଼ିକୁ ମଧ୍ୟ ସ୍ଥାନାନ୍ତର କରିବାକୁ ଦାବି କରିଥିବା କୁହାଯାଉଛି ।
