ଏହି ଜଳ ସଂରକ୍ଷଣ ପ୍ରକଳ୍ପଗୁଡ଼ିକର ବିଶେଷତ୍ୱ ହେଉଛି, ବଡ଼ ବନ୍ଧ ଭଳି ଅଧିକ ଜମି ଅଧିଗ୍ରହଣ ନକରି ନଦୀ ଶଯ୍ୟାରେ ହିଁ ବର୍ଷା ଜଳକୁ ସଂରକ୍ଷିତ ରଖାଯିବ। ଫଳରେ ମୌସୁମୀ ସମୟରେ ନଦୀରେ ପ୍ରବାହିତ ଅତିରିକ୍ତ ଜଳକୁ ଗଚ୍ଛିତ ରଖି ଖରାଦିନେ ବ୍ୟବହାର କରାଯାଇପାରିବ। ଏହା ସହ ଆଖପାଖ ଅଞ୍ଚଳର କୂଅ ଓ ନଳକୂପର ଜଳସ୍ତର ବଢ଼ିବାରେ ସହାୟକ ହେବ।
କେବଳ ପାନୀୟ ଜଳ ନୁହେଁ, ଏହି ପ୍ରକଳ୍ପ ଦ୍ୱାରା ଛୋଟ ଚାଷ ଜମିକୁ ଜଳସେଚନ, ପଶୁପାଳନ ଓ ଗ୍ରାମୀଣ ଜୀବିକାକୁ ମଧ୍ୟ ସହାୟତା ମିଳିବ। ବିଶେଷକରି ଧୁଆଁପଦର, ମୁରଲୀଯୋର ଓ ରେଭତୀଗୁଡ଼ା ପ୍ରକଳ୍ପ ଅଞ୍ଚଳରେ ମାଛ ଚାଷ ଓ ଜଳକୃଷିର ନୂଆ ସୁଯୋଗ ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ଦିଗରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ଜଳବାୟୁ ପରିବର୍ତ୍ତନ ଓ ଅନିୟମିତ ମୌସୁମୀର ମୁକାବିଲା କରିବା ସହ ଗ୍ରାମାଞ୍ଚଳରେ ଜଳ ସୁରକ୍ଷାକୁ ମଜବୁତ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
