ଭୁବନେଶ୍ୱର, ୧୩ । ୧୧ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ ): କମିସନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ (ଏସସିୟୁ) ପକ୍ଷରୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ହାସଲ କରାଯାଇଛି। ବାଲିପାଟଣା ଥାନା ଅନ୍ତର୍ଗତ ବ୍ଲକ ଅଫିସ ନିକଟରୁ ପୋଲିସ ୨ଟି ସେମି-ଅଟୋମେଟିକ୍ ବନ୍ଧୁକ ଏବଂ ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୋଡ଼ା ଗ୍ରାମର ଶରତ ବେହେରାଙ୍କ ପୁଅ କାଳିଆ ଓରଫ ବିଶ୍ୱଜିତ ବେହେରା (୩୩) ବୋଲି ଜଣାପଡ଼ିଛି।
ଗୁଇନ୍ଦା ସୂଚନା ଆଧାରରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଗତ ୧୨ ତାରିଖ ସକାଳ ପ୍ରାୟ ୯ଟା ୫୦ ମିନିଟ୍ ସମୟରେ ବାଲିପାଟଣା ବ୍ଲକ ଅଫିସ ନିକଟରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା। ସେଠାରେ ବେଆଇନ ବନ୍ଧୁକ କାରବାର ପାଇଁ ଏକତ୍ରିତ ହୋଇଥିବା ବେଳେ ପୋଲିସ ଅତର୍କିତ ଭାବେ ଅଭିଯୁକ୍ତକୁ କାବୁ କରିନେଇଥିଲା। ଚଢ଼ାଉ ସମୟରେ ପୋଲିସ ତା’ ନିକଟରୁ ୨ଟି ସେମି-ଅଟୋମେଟିକ୍ ବନ୍ଧୁକ, ୮ଟି ଜୀବନ୍ତ ଗୁଳି ସମେତ ଗୋଟିଏ ମହିନ୍ଦ୍ରା ଥାର୍ ରକ୍ସ ଗାଡ଼ି (ନଂ- ଓଡି ୦୫ ସିବି ୯୪୭୧), ୨ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୫୧୦ ଟଙ୍କା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ କାଳିଆ ନାଁରେ ପୂର୍ବରୁ କଟକ ଜିଲ୍ଲାର ଓଲଟପୁର ଏବଂ ଗୋବିନ୍ଦପୁର ଥାନାରେ ୫ଟି ସଙ୍ଗିନ ଅପରାଧିକ ମାମଲା ରହିଛି। ଏନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଥାନାରେ କେସ୍ ନଂ- ୨୩/୨୦୨୬ ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ବନ୍ଧୁକ ଯୋଗାଣ ପଛରେ ଥିବା ଅନ୍ୟ ସହଯୋଗୀ ଓ ଅପରାଧିକ ନେଟୱର୍କର ଚେର ଖୋଜିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ସକାଳ ୧୦ଟାରୁ ରାତି ୮ଟା ମଧ୍ୟରେ ୦୬୭୪-୨୯୧୬୩୮୩ ନମ୍ବରରେ ଯୋଗାଯୋଗ କରିବାକୁ କମିସନରେଟ୍ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଏବଂ ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ସ୍ପଷ୍ଟ କରାଯାଇଛି।
