ମା’ ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାୟ ୯୧୧ କୋଟି ଟଙ୍କାର ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯେଉଁଥିରେ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୭୩୫ କୋଟି ଟଙ୍କା ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ହଷ୍ଟେଲ୍ ଆଦି ଏହି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀରର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଏହି କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ରୂପା ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲ୍ୱର ପ୍ରମୁଖ ଉପସ୍ଥିତ ଥିଲେ।
