ଭୁବନେଶ୍ୱର: ଘର ମୁହଁରେ ପହଞ୍ଚିବ ପ୍ରାଣୀ ଚିକିତ୍ସା । ଭ୍ରାମ୍ୟମାଣ ଗାଡ଼ିରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଯେଉଁଠି ଗାଁଠାରୁ ପଶୁ ଡାକ୍ତରଖାନା ଦୂରରେ ରହିଛି ବିଶେଷ କରି ସେହି ସ୍ଥାନରେ ଏହି ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇ ଦିଆଯିବ। ୧୮୧ଟି ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଖର୍ଚ୍ଚ ହୋଇଛି।
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ରାଜ୍ୟରେ ପଶୁ ସମ୍ପଦର ବିକାଶକୁ ଏକ ନୂତନ ଉଚ୍ଚତାକୁ ନେବ। ଏହି ଅବସରରେ ସଚିବ (ଫାଇଭ୍-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ନିର୍ଦ୍ଦେଶକ, ପଶୁପାଳନ ଏବଂ ପଶୁ ଚିକିତ୍ସା ସେବା ଉପସ୍ଥିତ ଥିଲେ।

