Sh

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପସ୍ଥିତିରେ ତାଙ୍କ କାର୍‌ର ଡ୍ରାଇଭର ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଲଣ୍ଡନର ହାୟଡେ ପାର୍କ ନିକଟରେ ଶରିଫଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଡ୍ରାଇଭର ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ ଛେପ ପକାଇଛନ୍ତି। ଏହି ଘଟଣା କ୍ୟାମେରାରେ ମଧ୍ୟ କଏଦ ହୋଇଛି।

କାର୍‌ର ସାମ୍ନା ସିଟ୍‌ରେ ୭୩ ବର୍ଷୀୟ ଶରିଫ ବସିଥିଲେ। ଏହି ସମୟରେ ଜଣେ ମହିଳା ସାମ୍ବାଦିକ ଦୌଡ଼ି ଯିବା ସହ ତାଙ୍କ ଡ୍ରାଇଭରଙ୍କୁ କାର୍‌ର କାଚ ଖୋଲିବାକୁ କହିଥିଲେ। ସେ କାର୍‌ର କାଚ ଖୋଲିବା କ୍ଷଣି ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରିଥିଲେ ଯେ “ମୁଁ ଶୁଣିବାକୁ ପାଇଛି ଯେ ଆପଣ ସବୁଠାରୁ ଦୁର୍ନୀତି ଗ୍ରସ୍ତ ରାଜନେତା?”

ଏହା ଶୁଣି ତାଙ୍କ ଡ୍ରାଇଭର ରାଗି ଯାଇଥିଲେ। ସେ ମହିଳା ସାମ୍ବାଦିକଙ୍କ ମୁହଁକୁ ଛେପ ପକାଇ ସହ ଗାଡ଼ିର କାଚ୍‌ ବନ୍ଦ କରି ଦେଇଥିଲେ। ଏହାପରେ ସେଠାରୁ ଗାଡ଼ି ନେଇ ଚାଲି ଯାଇଥିଲେ। ଏହି ଘଟଣା ମହିଳାଙ୍କ ମୋବାଇଲ ଫୋନରେ ରେକର୍ଡ ହୋଇଛି।

ଘଟଣା ବେଳର ଭିଡିଓକୁ ଇମ୍ରାନ ଖାନଙ୍କ ଦଳ ପିଟିଆଇର ସଦସ୍ୟ ଡ. ଫାତିମା କେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ ଭିଡିଓରେ ଥିବା ମହିଳା ଜଣଙ୍କ ଜଣେ ସାମ୍ବାଦିକ। ପ୍ରଶ୍ନ କରିବାରୁ ଶରିଫଙ୍କ ଡ୍ରାଇଭର ତାଙ୍କ ମୁହଁକୁ ଛେପ ପକାଇଛନ୍ତି। ଭିଡିଓ ଭାଇରାଲ ହେବା ସହ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ପାକିସ୍ତାନରେ ଦୁଇଟି ଦୁର୍ନୀତି ମାମଲାରେ ଶରିଫ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମେଡିକାଲ ଚିକିତ୍ସା ନାଁରେ ଶରିଫ ପାକିସ୍ତାନରୁ ୨୦୧୯ରେ ଲଣ୍ଡନ ଆସିଥିଲେ। ସେବେଠାରୁ ସେ ଆଉ ସ୍ୱଦେଶ ଫେରି ନାହାନ୍ତି। କିନ୍ତୁ ଅକ୍ଟୋବର ୨୧ରେ ସେ ନିଜ ଦଳର ପ୍ରଚାର ପାଇଁ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ରହିଛି।

Share