ଅହମ୍ମଦାବାଦ: ଗୁଜୁରାଟ ATS କୁ ମିଳିଛି ବଡ଼ ସଫଳତା। ଦେଶବ୍ୟାପୀ ବିସ୍ଫୋରଣ ଯୋଜନା କଲେ ପଣ୍ଡ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ମଡ୍ୟୁଲ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରାଯାଇଥିଲା। ପୂର୍ବରୁ, ଏହି ମଡ୍ୟୁଲ୍ ସହିତ ଜଡିତ ଆଠ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।
ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ ଏହି ପାଞ୍ଚ ଜଣଙ୍କୁ ତୁରନ୍ତ ଗିରଫ କରିଛି। ମାମଲାରେ ଅଟକ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି। ପୂର୍ବରୁ, ATS ୮ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା। ଆଉ ଏହି ବ୍ୟକ୍ତିମାନଙ୍କୁ ପଚରାଉଚରା କରିବା ପରେ ନେଟୱାର୍କ ସହିତ ଜଡିତ ଅନ୍ୟ ପାଞ୍ଚ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ବିଲାଲ ଆବିଦଭାଇ ଶେରା, ମହମ୍ମଦ ଆୟୁବ କଡିୱାଲା, ମହମ୍ମଦ ପଲାନପୁରୀ, ଶାଫିଆ ରାଏ ମୁଖୀ ଏବଂ ମହମ୍ମଦ ହସନ କାରଦିୟା ବୋଲି ଜଣାପଡିଛି। ସେମାନଙ୍କୁ ପାଟନ ଜିଲ୍ଲାର ସିଦ୍ଧପୁର ତାଲୁକା ଅନ୍ତର୍ଗତ ଖାଦିଆଲ ଗ୍ରାମରୁ ଧରାଯାଇଥିଲା।

